ଯଦୁପୁରରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ଆକ୍ରମଣ । ଗଣମାଧ୍ୟମର କଣ୍ଠରୋଧ କରିବାକୁ ସାଂଘାତିକ ଷଡଯନ୍ତ୍ର । ହଠାତ୍ ଭିଡତନ୍ତ୍ର ନିଜ ଉପରୁ ନିୟନ୍ତ୍ରଣ ହରାଇ ଯେଉଁଭଳି ଜଣେ ସାମ୍ବାଦିକ ଏବଂ ତାଙ୍କର ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲା, ତାହା ସମସ୍ତଙ୍କ ସ୍ତବ୍ଧ କରିଦେବା ଭଳି । ନନ୍ଦିଘୋଷ ଟିଭିର ସାମ୍ବାଦିକ ଅନୁଜଙ୍କ ଉପରେ ଯେଭଳି ଆକ୍ରମଣ କରିବାକୁ କିଛି ଦୁର୍ବୃତ୍ତ ପଛଘୁଂଚା ଦେଲେନି ତାହା ପ୍ରମାଣିତ କରୁଛି, ଗଣମାଧ୍ୟମ ଏଠି ବଡ ଧରଣର ବିପଦରେ ରହିଛି । ସାମ୍ବାଦିକଙ୍କୁ କଣ ଯିଏ ଯେତେବେଳେ ଚାହିଁବ ଆକ୍ରମଣ କରିଦେବ । ଏଭଳି ସାହାସ ଆସୁଛି କେଉଁଠୁ?
ଯଦୁପୁରରେ ବିଜେପିର ପଦଯାତ୍ରା ପହଁଚିବା ପରେ ସେଠାରେ ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ କରୁଥିଲେ । କିଛି ୱେବ୍ ଚ୍ୟାନେଲ ସାମ୍ବାଦିକ ମଧ୍ୟ ସେଠି ଉପସ୍ଥିତ ଥିଲେ । ହେଲେ ସାମ୍ବାଦିକଙ୍କର କିଛି ପ୍ରଶ୍ନ ସେଠାରେ ଥିବା ଜନସାଧାରଣଙ୍କୁ ଉତ୍ତ୍ୟକ୍ତ କରିଦେଲା । ଅଉ ସଂଘବଦ୍ଧ ଭାବେ ସେମାନେ ଅନୁଜ ଆଉ ସହଯୋଗୀଙ୍କୁ ଆକ୍ରମଣ କଲେ । ଏଠି ନଜର ପକାଇବାର ଦିଗଟି ହେଉଛି, ଯେଉଁ ସମୟରେ ଯଦୁପୁରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିଲା, ସେଠାରେ ରାଜ୍ୟ ବିଜେପିର ତୁଙ୍ଗ ନେତା ଉପସ୍ଥିତ ଥିଲେ । ହେଲେ ସେମାନେ ନା ଭିଡକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ନା ସାମ୍ବାଦିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଘଟଣାକୁ ଅନେକ ଘଂଟା ବିତିଯାଇଥିଲେ ମଧ୍ୟ ରାଜ୍ୟ ବିଜେପି ପକ୍ଷରୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା ବି କରାଯାଇ ନାହିଁ ।
ପ୍ରଶ୍ନ ଉଠୁଛି, ସାମ୍ବାଦିକଙ୍କ ଉପରେ ଆକ୍ରମଣ ରାଜ୍ୟ ବିଜେପିର କର୍ମୀ କରିଛନ୍ତି କି? ଯେଉଁମାନେ ପଦଯାତ୍ରାରେ ସାମିଲ ରହିଥିଲେ, ଆଉ ସାମ୍ବାଦିକଙ୍କ କିଛି ପ୍ରଶ୍ନ ସେମାନଙ୍କ ମନରେ ନିଆଁ ଜଳାଇଲା, ଆଉ ସେମାନେ ଆକ୍ରମଣ କରିବାକୁ ଆରମ୍ଭ କରିଦେଲେ । ଏହାର ଅର୍ଥ କଣ? ରାଜ୍ୟ ବିଜେପିର କର୍ମୀଙ୍କୁ ଯେଉଁ ଖବର ସୁହାଇବ, କଣ କେବଳ ସେହି ଖବର ମିଡିଆରେ ପ୍ରକାଶ ପାଇବ? ଯେଉଁ ଖବର ବିଜେପି ବିରୁଦ୍ଧରେ ଯିବ, ସେଠି ବିଜେପି କର୍ମୀ ଆକ୍ରମଣ କରିବେ? ରାଜ୍ୟରେ ବିଜେପି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ହେଲେ ଯେଉଁ ଚରିତ୍ର ଆଜି ବିଜେପି କର୍ମୀ ଦେଖାଉଥିବା ଅଭିଯୋଗ ଆସିଛି, ତାକୁ ଯେତେ ନିନ୍ଦା କଲେ ବି କମ ହେବ ।
ବିଜେଡିର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ ଟ୍ୱିଟ କରି ସିଧା ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ଚକିତ କରିଦେଲା ଭଳି ଏବଂ ଏହା ସାମ୍ବାଦିକତା ଉପରେ ବି ଆକ୍ରମଣ । ବିଜେପି ନେତାଙ୍କ ଏଭଳି ଆକ୍ରମଣକୁ ନିନ୍ଦା କରୁଛି । ଆଶା କରୁଛି, ଖୁବ ଶୀଘ୍ର ଦୋଷୀ ଦଣ୍ଡ ପାଇବ । ବଡ କଥା ହେଉଛି, ଏଭଳି ଘଟଣାରୁ ବିଜେପି ଲାଭ କମ ପାଇବ ଆଉ କ୍ଷତି ଅଧିକ ସହିବ । ଓଡିଶା ଭଳି ରାଜ୍ୟରେ ଏଭଳି ହିଂସାତ୍ମକ ଆଭିମୁଖ୍ୟକୁ କେହି ବରଦାସ୍ତ କରିବେ ନାହିଁ । କ୍ଷମତାକୁ ଆସିବା ଆଗରୁ ନିଜ କର୍ମୀଙ୍କୁ ନିୟନ୍ତ୍ରଣରେ ରଖିପାରୁନଥିବା ଦଳ କ୍ଷମତାକୁ ଆସିଲେ ସତ୍ତାର ନିଶାର କଣ ଯେ କରିବସିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।