ବିଲେଇ କପାଳକୁ ଶିକା ଛିଣ୍ଡିବା । ଏହି ଉକ୍ତି ଏବେ କେନ୍ଦ୍ରାପଡ଼ା ରାଜନୀତି ପାଇଁ ଉଦ୍ଦିଷ୍ଟ । ଖାସକରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ । ୨୦୧୯ ନିର୍ବାଚନରେ ପରାଜିତ ହେବା ପରେ କେନ୍ଦ୍ରାପଡା ରାଜନୀତିରୁ ନିରୁର୍ଦ୍ଦିଷ୍ଟ ହୋଇଯାଇଥିବା ବୈଜୟନ୍ତ ଏବେ ପୁଣିଥରେ ଆକ୍ଟିଭ ମୋଡକୁ ଆସିଲେଣି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ ଉପରେ ଆଶଙ୍କାର କଳାବାଦଲ ଢାଙ୍କି ହୋଇ ଆସୁଥିବା ବେଳେ ବୈଜୟନ୍ତ ବ୍ୟୁହ ରଚନା କରିବା ଆରମ୍ଭ କରିଛନ୍ତି । ପୁଣିଥରେ କର୍ମଭୂମି କେନ୍ଦ୍ରାପଡାକୁ କମବ୍ୟାକ୍ କରିବାକୁ ପୂରା ଖସଡା ପ୍ରସ୍ତୁତ କରିସାରିଲେଣି ପଣ୍ଡା ବାବୁ । ଯେଉଁଥିପାଇଁ ଭୁଷୁଡି ପଡିଥିବା ସଙ୍ଗଠନକୁ ସଜାଡିବା କାମରେ ଲାଗିଲେଣି ବୈଜୟନ୍ତ ।
୨୦୧୯ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିବାଦରେ ଛନ୍ଦି ହେବା ଏବେ ବୈଜୟନ୍ତଙ୍କୁ ବେଶ ସୁହାଇଛି । ବୈଜୟନ୍ତଙ୍କ ବିରୋଧରେ ବିଜେଡି ନୂଆ ଚେହେରା ସୃଷ୍ଟି କରିବା ପୂର୍ବରୁ ବେଶ ସର୍ତକ ହୋଇ ଉଠିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ । କେନ୍ଦ୍ରାପଡାରେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରିବାକୁ ବୈଜୟନ୍ତ ଏବେଠାରୁ କସରତ ଆରମ୍ଭ କଲେଣି । ଗୋଟିଏ ପଟେ କେନ୍ଦ୍ରାପଡାରେ ଅନୁଭବଙ୍କୁ ନେଇ ବିଜେଡି ବ୍ୟାକଫୁଟରେ ଥିବା ବେଳେ ଏହାକୁ ସୁଯୋଗ ବୋଲି ଭାବେ ଗ୍ରହଣ କରି ବୈଜୟନ୍ତ ନିଜ ସପକ୍ଷରେ ହାୱା ସୃଷ୍ଟି କରିବାକୁ ନିଜ କୋଟରୀକୁ ଲଗାଇଥିବା ଚର୍ଚ୍ଚା ହେଉଛି ।
ଏହା ଭିତରେ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ନିଜର ବିଶ୍ୱାସଯୋଗ୍ୟ କୋଟରୀ ସହ ବୈଜୟନ୍ତ କବାଟକିଳା ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠାରୁ ଋଣନୀତି ପ୍ରସ୍ତୁତ କରିବା ସହ ଜିଲ୍ଲାରେ ନିଜ ସପକ୍ଷରେ ବାତାବରଣ ତିଆରି କରିବାକୁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହାଛଡା ଆସାମ ନିର୍ବାଚନର ଫଳାଫଳ ଯଦି ବିଜେପି ସପକ୍ଷରେ ଆସେ ତେବେ ଓଡ଼ିଶା ରାଜନୀତିରେ ଏହାର ପ୍ରଭାବ ପଡିବ ବୋଲି ବୈଜୟନ୍ତ ଏହି କବାଟକିଳା ବୈଠକରେ ସଂକେତ ଦେଇଥିବା ସୂଚନା ମିଳିଛି । ଯଦି ସବୁକିଛି ଠିକ୍ ଚାଲେ ଓ ଆସାମରେ ବିଜେପି ସରକାର ଗଢିବାକୁ ସକ୍ଷମ ହୁଏ ତେବେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୈଜୟନ୍ତଙ୍କୁ ଓଡ଼ିଶାରେ ଭିନ୍ନ ଅବତାରରେ ଦେଖିବାକୁ ମିଳିପାରେ ।