କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଦୁଇ ମନ୍ତ୍ରୀ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପଦାନ କରି ଆଶୀର୍ବାଦ କାମନା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ବତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କାର୍ୟ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବ। ଏହା ସହିତ ବକୁଳବନ ବିଶ୍ବବିଦ୍ୟାଳୟକୁ ନୂଆ ଶିକ୍ଷା ନୀତିର ପ୍ରୟୋଗଶାଳା କରାଯିବ। ରାଜ୍ୟର ୫୦ ହଜାର ଗ୍ରାମକୁ ଇଣ୍ଟରନେଟ ସୁବିଧା ଦେବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଞ୍ଜିନିୟରିଂ, ମେଡିକାଲ ପାଠ୍ୟକ୍ରମକୁ ଓଡିଆରେ ପ୍ରଚଳନ କରାଯିବା ପାଇଁ ମଧ୍ୟ ଉଦ୍ୟମ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ।
୭୫ ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ପୁରୀରୁ ଚାଲିବ ଗୋଟିଏ ବନ୍ଦେ ଭାରତ ଟ୍ରେନ । ପୁରୀ ଏକ ଅନ୍ତର୍ଜାତୀୟ ପର୍ୟ୍ୟଟନ ସ୍ଥଳ ହୋଇଥିବାରୁ ପୁରୀରେ ରେଳପଥର ବିକାଶ ସହ ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣ କାର୍ୟ୍ୟ ନେଇ ଯାହା ଆବଶ୍ୟକ ସେନେଇ କେନ୍ଦ୍ର ପଦକ୍ଷେପ ନେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ। ଆଜି ଦୁଇମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଅଠରନଳାରେ ସମ୍ବର୍ଦ୍ଧିତ କରିବା ସହ ବଡଦାଣ୍ତରେ ବାଇକ ରାଲି କରି ସିଂହଦ୍ବାରରେ ପହଞ୍ଚାଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେପଟେ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ଏକସାଙ୍ଗରେ କରିବାକୁ ନିର୍ବାଚନ କମିଶନଙ୍କୁ ଦିଆଯାଇଛି ପ୍ରସ୍ତାବ ।ଓଡ଼ିଶାରେ ନୂଆ ଶିକ୍ଷା ନୀତି ଲାଗୁକରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ସମନ୍ବିତ ଶିକ୍ଷା ବ୍ୟବସ୍ଥା ନେଇ ଗୋପବନ୍ଧୁ ଦାସଙ୍କ ସ୍ବପ୍ନକୁ ପୂରଣ କରିବାର ପ୍ରୟାସ ପାଇଁ ମୋତେ ସୁଯୋଗ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।