ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ସେନସେସନ ରହି ଆସିଥିବା ବର୍ଷା ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ । କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବା ସହ ବର୍ଷା ଯେଉଁ ଫଟୋ ଛାଡିଛନ୍ତି ତାହା ଅନେକ କିଛି ଦିଗକୁ ଇଙ୍ଗିତ କରୁଛି । ବର୍ଷାଙ୍କ ଫଟୋ ଉଠାଇବାର ଷ୍ଟାଇଲ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ଆଶ୍ଚଯ୍ୟ କରିଛି । ଖାସକରି ଏଭଳି ଫଟୋ ଉଠାଇ ବର୍ଷା କଣ ସଂକେତ ଦେବାକୁ ଚାହୁଁଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଗରେ ବର୍ଷା, ବ୍ୟାକଗ୍ରାଉଣ୍ଡରେ ନବୀନ । କିଛି ଏଭଳି ପୋଜରେ ଛିଡା ହୋଇଥିବାର ଫଟୋ ସୋସିଆଲ ମିଡ଼ିଆରେ ଛାଡିଛନ୍ତି ବର୍ଷା । ଏପରିକି କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ ପାଇଁ ନବୀନଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି । ଆପଣ ହୁଏତ କହିପାରନ୍ତି ଜଣେ ଅଭିନେତ୍ରୀ ଭାବେ ବର୍ଷା ଏମିତି କରିବାରେ ଅସୁବିଧା କେଉଁଠି ରହିଲା । କିନ୍ତୁ ବର୍ଷାଙ୍କ ଅଜାଣତରେ ଏଭଳି ଫଟୋ ଉଠିବା ଅସମ୍ଭବ । କାରଣ ଜଣେ ଅଭିନେତ୍ରୀ ଭାବେ କେଉଁ ଆଙ୍ଗଲରୁ ଫଟୋ ନେଲେ ଏହାର ଅଧିକ ଗୁରୁତ୍ୱ ରହିବ ତାହା ବେଶ ଭଲ ଭାବେ ଜାଣିଛନ୍ତି ବର୍ଷା । ତେଣୁ ଯେତେବେଳେ ସ୍ୱାମୀ ତଥା ବିଜେଡି ସାଂସଦ ଅନୁଭବଙ୍କ ସହ ବର୍ଷାଙ୍କର ବିବାଦ ଲାଗିରହିଛି ସେତେବେଳେ ବିଜେଡି ଦଳର ସୁପ୍ରିମୋଙ୍କୁ ବ୍ୟାକଗ୍ରାଉଣ୍ଡରେ ରଖି ଫଟୋ ଉଠାଇବା ସହଜରେ ହଜମ ହେଉନାହିଁ । ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି ନବୀନଙ୍କୁ ବ୍ୟାକଗ୍ରାଉଣ୍ଡରେ ଆଣି ସାଂସଦ ସ୍ୱାମୀ ଅନୁଭବଙ୍କୁ କିଛି ସଂକେତ ଦେବାକୁ ଚାହୁଁଛନ୍ତି କି ବର୍ଷା?
ବିବାହ ଓ ବିଚ୍ଛେଦକୁ ନେଇ ଯେତିକି ଚର୍ଚ୍ଚା ହୋଇନଥିଲା ତାହା ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା ବିଜେଡି କାର୍ଯ୍ୟକ୍ରମରେ ବର୍ଷାଙ୍କ ଆର୍ବିଭାବ । ବିବାହ-ବିଚ୍ଛେଦ ବିବାଦ ପାଇଁ ସାଂସଦ ସ୍ୱାମୀ ଅନୁଭବଙ୍କୁ ଦଳରୁ ଏକପ୍ରକାର ସାଇଡଲାଇନ କରାଯାଇଥିବା ବେଳେ ବର୍ଷାଙ୍କ ପାଇଁ କିନ୍ତୁ ସୁଯୋଗ ସୃଷ୍ଟି କରାଯାଇଛି । ଯାହାର ଝଲକ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ବିଜେଡି ପକ୍ଷରୁ ହେଉଥିବା ବିଜୁ ପ୍ରିମିୟର ଲିଗରେ ବର୍ଷାଙ୍କ ଯୋଗଦାନ ଏହାର ସବୁଠୁ ଉଦାହରଣ । ବିଜେଡିରେ ଏକାଧିକ ଷ୍ଟାର ଥିଲେ ମଧ୍ୟ ବର୍ଷାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରିବା ଆଉ ତାହା ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଜିଲ୍ଲା ଗଞ୍ଜାମରେ । ଏହି ଦିଗଟିକୁ ତର୍ଜମା କଲେ ସଂକେତ ମିଳୁଛି ଯେ, ବର୍ଷାଙ୍କୁ ନେଇ ଅଙ୍କ କଷୁଛି ବିଜେଡି ।
ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଅନୁଭବ ଆଉ ଦଳ ପାଇଁ ଆସେଟ ହୋଇ ନାହାନ୍ତି ଏକଥାକୁ ବେଶ ଭଲ ଭାବେ ବୁଝିସାରିଛି ଦଳ । ଯେଉଁଥିପାଇଁ ତାଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା ଚର୍ଚ୍ଚା ହେଉଛି । କାରଣ ଦଳୀୟ କାର୍ଯ୍ୟକ୍ରମରେ ଅନୁଭବଙ୍କ ଉପସ୍ଥିତି ଏବେ ବିଜେଡିକୁ ଲାଭ କମ ଓ କ୍ଷତି ଅଧିକ ପହଞ୍ଚାଇବ ବୋଲି ଆକଳନ କରାଯାଉଛି । ତେଣୁ ଏଭଳି ସ୍ଥିତିରେ ଅନୁଭବଙ୍କୁ ଆଉଟ କରି ବର୍ଷାଙ୍କୁ ବ୍ୟାକଅପ ଦେବାକୁ ବିଜେଡି ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଶୁଣିବାକୁ ମିଳୁଛି । ଏପରିକି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଷାଙ୍କୁ କ୍ଷେତ୍ର ପ୍ରସ୍ତୁତ କରିବାକୁ ସବୁଜ ସଂକେତ ମିଳିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ମଧ୍ୟ ହେଉଛି । ଅନୁଭବଙ୍କ ଭଳି ବର୍ଷାଙ୍କୁ ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଦଳରେ ଏଣ୍ଟ୍ରି କରାଇପାରେ ବିଜେଡି । ଆଉ ଏହାପରେ ବିଜେଡିରୁ ରାଜନୀତି ଇନିଂସ ଆରମ୍ଭ କରିପାରନ୍ତି ବର୍ଷା । ତେବେ ଏନେଇ ବର୍ଷା କୌଣସି କାର୍ଡ ଖୋଲିନଥିବା ବେଳେ ଏହି ଫଟୋ ପଛରେ ଥିବା ଗୁଢ ରହସ୍ୟ ଅନୁଭବଙ୍କ ରାଜନୈତିକ କ୍ୟାରିୟର ପାଇଁ ନିଶ୍ଚୟ ଆହ୍ୱାନ ସୃଷ୍ଟି କରିବ ବୋଲି କୁହାଯାଉଛି । କାରଣ ବର୍ଷାଙ୍କ ବ୍ୟାକଗ୍ରାଉଣ୍ଡରେ ନବୀନ ରହିଛନ୍ତି!