ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ବାସବରାଜ  ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର । ବାସବରାଜ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଆର୍‌ ବୋମାଇଙ୍କ ପୁଅ । ଜଣେ ମୁଖ୍ୟମନ୍ତ୍ରୀଙ୍କ ପରିବାରରୁ ଆସିଥିବାରୁ ସେ ରାଜ୍ୟର ରାଜନୀତିକୁ ଭଲ ଭାବେ ପରଖିଛନ୍ତି ଏବଂ ଚିହ୍ନିଛନ୍ତି ବୋଲି କୁହାଯାଇପାରେ ।

କର୍ଣ୍ଣାଟକ ରାଜନୀତିରେ ୟେଦ୍ୟୁରପ୍ପା ଶାସନର ପତନ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଜାରି ରହିଥିଲା ଚର୍ଚ୍ଚା । ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂ ।

ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ୟେଦୁରପ୍ପା ଗତକାଲି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ୨୬ ଜୁଲାଇରେ ତାଙ୍କ ସରକାର ଦୁଇ ବର୍ଷ ପୂରଣ ହେବା ପରେ ସେ ଇସ୍ତଫା ଦେଇଥିଲେ । ଇସ୍ତଫା ଘୋଷଣା କରିବା ପରେ ଭାବପ୍ରବଣ ହୋଇଯାଇଥିଲେ ୟେଦୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ସେ କହିଥିଲେ । ୟେଦ୍ୟୁରପ୍ପା କହିଥିଲେ, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ସମସ୍ତେ ମିଳିମିଶି କଠିନ ପରିଶ୍ରମ କରିବା ଉଚିତ୍ ।

Comments (0)
Add Comment