ଭୁବନେଶ୍ୱରରେ ମାରି ଗଂଜାମରେ ଫୋପାଡିଦେଲେ ମୃତଦେହ । ଏଭଳି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଗଂଜାମ ପୁଲିସ । ଭୁବନେଶ୍ୱର ଭରତପୁରରେ ଏକ ଯୁବତୀଙ୍କ ହତ୍ୟା କରାଯାଇଥିଲା । ଆଉ ଦୋଷ ଲୁଚାଇବାକୁ ଗଂଜାମରେ ଫିଙ୍ଗାଯାଇଥିଲା ମୃତଦେହ । ମାସେ ୮ ଦିନ ପରେ ପୁଲିସ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ସହ ଦଂପତିଙ୍କୁ ଗିରଫ କରିଛି ।
ବାଲେଶ୍ୱର ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ଵରରେ କରାଗଲା ମର୍ଡ଼ର। ପ୍ରମାଣ ଲୁଚାଇବାକୁ ଯାଇ ଓଲା କାର୍ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲାରେ ଫିଙ୍ଗି ଦିଆଯାଇଥିଲା। ଘରୋଇ ସହାୟିକା ଭାବେ କାମ କରୁଥିଲେ ବାଲେଶ୍ବରର ସଂପୃକ୍ତ ଯୁବତୀ । ଡିିସେମ୍ବର ୨ ତାରିଖରେ ଭୁବନେଶ୍ୱରର ଭରତପୁରରେ ଏହି ଘରୋଇ ସହାୟିକାଙ୍କ ସହିତ କୌଣସି କାରଣକୁ ନେଇ ଦମ୍ପତିଙ୍କର ପାଟିତୁଣ୍ଡ ହୋଇଥିଲା । ତେବେ କୌଣସି କାରଣରୁ ଯୁବତୀଙ୍କୁ ହତ୍ୟା କରିଥିଲେ ଏହି ଦମ୍ପତ୍ତି । ପରେ ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଭୁସଣ୍ଡପାଳ ଗାଁ ନିକଟ ଧାନବିଲରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀଙ୍କ ମୃତଦେହ ପାଖରୁ ଏକ ଫୋନ୍ ନମ୍ବର ମିଳିଥିଲା । ଫୋନ ନମ୍ବରକୁ ନେଇ ପୁଲିସ ତନାଘନା ଆରମ୍ଭ କରିଥିଲା । ପରେ ପୁଲିସ ଯୁବତୀ ଜଣକ ବାଲେଶ୍ୱରର ବୋଲି ଜାଣିବାକୁ ପାଇଥିଲା ।
ମୃତଦେହର ପରିଚୟ ଚିହ୍ନଟ ସହ ହତ୍ୟାକାରୀକୁ ଚିହ୍ନଟ ପାଇଁ ଗଞ୍ଜମ ପୋଲିସ ନାକେଦମ ହେବା ପରେ ଭଞ୍ଜନଗର ଏସଡିପିଙ୍କ ନେତୃତ୍ବରେ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ କନ୍ଧମାଳ, ଭୁବନେଶ୍ବର, ନୟାଗଡ ଆଦି ସ୍ଥାନରେ ତଦନ୍ତ ଚଳାଇଥିଲା । ଶତାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ସହ ଯୁବତୀଙ୍କ ମୃତଦେହର ଫଟୋ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ୍ ଓ ହ୍ବାଟସ୍ ଆପ୍ ଗ୍ରୁପରେ ପକା ଯାଇଥିଲା । କିଛି ଦିନ ପରେ ଜଣେ ବ୍ୟକ୍ତି ଯୁବତୀଙ୍କୁ ଚିହ୍ନିପାରି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ସେ ଭୁବନେଶ୍ବରରେ ଏହି ଦମ୍ପତିଙ୍କ ଘରେ ରହି କାମ କରୁଥିବା କହିଥିଲେ । ଏହାପରେ ପୋଲିସ ଦମ୍ପତିଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ଦମ୍ପତି ଯୁବତୀକୁ ନିର୍ୟାତନା ଦେବା ପରେ ହତ୍ୟାକରିଥିବା ପୋଲିସ ଆଗରେ ମାନିଥିଲେ ।