ମମତାଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ ଭବାନୀପୁର

ଆଜି ଆସିବ ପଶ୍ଚିମବଂଗ ଭବାନୀପୁର ଉପନିର୍ବାଚନର ଫଳାଫଳ । ମମତାଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ ଭବାନୀପୁର । ଜିତିଲେ ମୁଖ୍ୟମନ୍ତ୍ରୀ ରହିବେ, ହାରିଲେ ପଦ ଛାଡିବାକୁ ପଡିପାରେ । ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ହାରିବା ପରେ ଉପନିର୍ବାଚନରେ ମମତା ଭାଗ୍ୟ ପରଖୁଛନ୍ତି । କଡା ସୁରକ୍ଷା ମଧ୍ୟରେ ଭବାନୀପୁରରେ ଭୋଟ ଗଣତି ହେଉଛି ।
ଭୋଟ ଗଣତି କେନ୍ଦ୍ରରେ ସ୍ଥାନୀୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ କରାଯାଇଛି । ଭୋଟଗଣତି କେନ୍ଦ୍ରକୁ ପୂରା ସିସିଟିଭି ନଜରରେ ରଖାଯାଇଛି । ମୋଟ ୨୧ ରାଉଣ୍ଡ ଭୋଟଗଣନା ହେବ । ରିଟର୍ଣ୍ଣିଂ ଅଫିସର ଓ ପର୍ୟ୍ୟବେକ୍ଷକଙ୍କୁ ଛାଡିଦେଲେ ଭୋଟ ଗଣତିରେ ନିୟୋଜିତ ଥିବା ଅନ୍ୟ କୌଣସି କର୍ମଚାରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ ।
ଏହି ନିର୍ବାଚନ ମମତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କରାଯାଉଛି । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନଗଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।
ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଭବାନୀପୁର ଉପ-ନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ଫଳାଫଳ କାହା ସପକ୍ଷରେ ଯିବ ତାହାର ଆକଳନ କରିବା ବେଶ କଷ୍ଟକର ହୋଇପଡିଛି ।

Comments (0)
Add Comment