ଆସନ୍ତାକାଲି ଭାରତ ବନ୍ଦ । ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବିରେ ବ୍ୟବସାୟୀ ସଙ୍ଗଠନ ଦି କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ବା କ୍ୟାଟ୍ ଏହି ବନ୍ଦ ଡକରା ଦେଇଛି । ସଂଘର ଏହି ଡ଼ାକରାକୁ ଓଡ଼ିଶା ବ୍ୟବସାୟର ମହାସଂଘ ସମର୍ଥନ କରିଛି । ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଜଣାପଡ଼ିଛି। ଏହାରି ପ୍ରଭାବରେ ଶୁକ୍ରବାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।
କ୍ୟାଟ୍ର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ୱାଲ କହିଛନ୍ତି ଯେ, ରାଜ୍ୟ ସରକାର ଓ ଜିଏସଟି ପରିଷଦ ଜିଏସଟିର କଠୋର ପ୍ରାବଧାନକୁ ସମାପ୍ତ କରାଯାଉ । ଜିଏସଟି ପ୍ରକ୍ରିୟା ସରଳ କରିବା ଦାବିରେ ଦେଶର ୧୫୦୦ଟି ସ୍ଥାନରେ ଧାରଣା ଦିଆଯିବ । ଦେଶର ସବୁ ବଜାର ବନ୍ଦ ରହିବ । ରାଜ୍ୟର ବିଭିନ୍ନ ସହରରେ ବ୍ୟବସାୟୀମାନେ ଧାରଣା ଦେବେ । ପ୍ରାୟ ୮ କୋଟି ବ୍ୟବସାୟୀ ଏଥିରେ ସାମିଲ ହେବେ ।
ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକାର ପଣ୍ଡା କହିଛନ୍ତି ଯେ ଜିଏସ୍ଟିକୁ ସରଳୀକରଣ କରିବା ପରିବର୍ତ୍ତେ ଅଧିକ ଜଟିଳ କରାଯାଉଛି । ବ୍ୟବସାୟୀଙ୍କ ବିନା ପରାମର୍ଶରେ ଏହାକୁ ବହୁବାର ସଂଶୋଧନ କରାଗଲାଣି । ଯେତେବେଳେ ଜିଏସ୍ଟି ଲାଗୁ ହେଲା, ସେ ସମୟରେ ସରକାର ସାଧାରଣ ଟିକସ ବୋଲି ଘୋଷଣା କରିଥିଲେ । କିନ୍ତୁ କ୍ରମେ ଏହାକୁ ଜଟିଳ କରିଦିଆଯାଇଛି। ଏହାଦ୍ବାରା ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି । ସେହିପରି ଇ-କମର୍ସ ବ୍ୟବସାୟ ଯୋଗୁଁ ଭାରତରେ ଥିବା କୋଟି କୋଟି ଦୋକାନୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।
ବିଭିନ୍ନ ଟ୍ରାନ୍ସପୋର୍ଟ କାର୍ୟ୍ୟାଳୟକୁ ଏହି ସମୟରେ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । କୌଣସି ପ୍ରକାର ମାଲ୍ ବୁକିଂ, ଡେଲିଭରୀ, ପରବିହନ ହେବ ନାହିଁ । ସମସ୍ତ ପରିବହନ କମ୍ପାନୀ ବିରୋଧ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ନିଜ ବାହାନକୁ ପାର୍କିଂ କରିବେ ।