ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଜୋ ବାଇଡେନ୍ ଦ୍ୱାଇଟ୍ ହାଉସରୁ ଦେଶକୁ ସମ୍ବୋଧିତ କରିଛନ୍ତି । ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିରେ ମୁଁ ଅଟଳ, ଆମର ସେନା ବହୁତ ବଳିଦାନ ଦେଇଛନ୍ତି ବୋଲି କହିଛନ୍ତି ବାଇଡେନ ।
ଦେଶବାସୀଙ୍କୁ ସମ୍ବୋଧିତ କରି ବାଇଡେନ କହିଛନ୍ତି, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଦାବିରେ ସେ ଏବେ ବି କାଏମ ଅଛନ୍ତି । ସେ ସ୍ୱୀକାର କରିଛନ୍ତି , ଆଗୁଆ ଆଫଗାନିସ୍ତାନ ସରକାରର ପତନ ହୋଇଛି । ଆଫାଗାନିସ୍ତାନରେ ଦୀର୍ଘଦିନ ଆମେରିକା ଲଢିଥିଲେ ଋଷ ଓ ଚୀନକୁ ଫାଇଦା ହୋଇଥାନ୍ତା । ଆମେ ପୂର୍ବର ଭୁଲକୁ ଦୋହରାଇବାକୁ ଚାହୁଁନଥିଲୁ । ।
ବିଦାୟୀ ରାଷ୍ଟ୍ରପତି ଅଶରଫ ଘନିଙ୍କ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫାଗାନିସ୍ତାନକୁ କଠିନ ସମୟରେ ଛାଡ଼ି ଦେଇ ଘନି ଦେଶ ଛାଡ଼ି ପଳାୟନ କରିଥିବା କହିଛନ୍ତି ବାଇଡେନ୍ । ତାଙ୍କୁ ପ୍ରଶ୍ନ ପଚରାଯିବା ଦରକାର ଯେ, ବିନା ଲଢ଼େଇ କରି ଆଫଗାନିସ୍ତାନ ଛାଡ଼ି କାହିଁକି ପଳାୟନ କରିଛନ୍ତି । ଆମେରିକା ସେନାକୁ ଫେରାଇ ଆଣିବା ନିଷ୍ପତ୍ତିକୁ ସଠିକ କହିଛନ୍ତି । ସେ କହିଛନ୍ତି ଯେ, ଆମର ସେନା ଲଗାତାର ଲଢ଼ିବ ନାହିଁ । ମୁଁ ଏହି ପ୍ରସଙ୍ଗକୁ ନେଇ ସ୍ପଷ୍ଟ ଯେ, ଆମର ବିଦେଶୀ ନୀତି ମାନବାଧିକାର ଉପରେ କେନ୍ଦ୍ରୀତ । ସେ କହିଛନ୍ତି ଯେ, ଆଫଗାନିସ୍ତାନର ନେତାମାନେ ଏଠାକାର ଲୋକଙ୍କ ସୁରକ୍ଷା ପାଇଁ ଏକତ୍ର ହେବାରେ ବିଫଳ ହୋଇଛନ୍ତି । ସେମାନେ ନିଜର ଭବିଷ୍ୟତ ପାଇଁ ମିଳିତ ଭାବେ କାମ କରିପାରି ନାହାନ୍ତି ।