ଋଷକୁ ଚେତାଇଲେ ବାଇଡେନ, ଆକ୍ରମଣ ପାଇଁ ଦେବାକୁ ପଡ଼ିବ ବହୁମୂଲ୍ୟ

ଆମେରିକା ଟାର୍ଗେଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆମେରିକାବାସୀଙ୍କୁ ସମ୍ବୋଧିତ କରି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ଋଷିଆର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି ବାଇଡେନ୍ ।
ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ବାଇଡେନ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବୁଛନ୍ତି ସେ ୟୁରୋପକୁ ଭାଗ ଭାଗ କରିବାରେ ସକ୍ଷମ ହେବେ । ମାତ୍ର ଏହା ଯଦି ସେ ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ । ଋଷର ଏହି ଆକ୍ରମଣ ଲାଗି ଆମେ ପ୍ରସ୍ତୁତ ଏବଂ ସାରା ବିଶ୍ବରୁ ଋଷ ବର୍ତ୍ତମାନ ଅଲଗା ହୋଇଯାଇଛି । ଋଷୀୟ ଏୟାରଲାଇନ୍ସ ଲାଗି ଆମେରିକା ଆକାଶମାର୍ଗ ବନ୍ଦ କରି ଦିଆଯିବ । ବାଇଡେନ୍ କହିଛନ୍ତି, ୟୁକ୍ରେନ ସହ ରହିଛି ଆମେରିକା । ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ମନମାନିକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଜୋ ବାଇଡେନ୍ ।
ୟୁକ୍ରେନକୁ ୧ ବିଲିଅନ ଡଲାର ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି ବାଇଡେନ । ସବୁ ପ୍ରକାର ସହାୟତା ଆମେରିକା ତରଫରୁ ୟୁକ୍ରେନକୁ ଦିଆଯିବ । କିନ୍ତୁ ଆମେରିକାର ସେନା ଯୁଦ୍ଧରେ ସାମିଲ ହେବନି ବୋଲି କହିଛନ୍ତି ବାଇଡେନ୍ । ୟୁକ୍ରେନବାସୀ ସାହସର ସହ ଲଢେଇ କରୁଛନ୍ତି । ପୁଟିନ୍ ଭୁଲ୍‌ ପଦକ୍ଷେପ ନେଇଥିବା ବାଇଡେନ୍ କହିଛନ୍ତି । କିଭକୁ ଟ୍ୟାଙ୍କର ଦ୍ବାରା ଅକ୍ତିଆର କରାଯାଇଛି ସତ, ହେଲେ ୟୁକ୍ରେନବାସୀଙ୍କ ମନ ପ୍ରାଣ କେବେ ବି ପୁଟିନ୍ ହାସଲ କରିପାରିବେନି ବୋଲି କହିଛନ୍ତି ବାଇଡେନ୍ । ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ପୁଟିନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ବାଇଡେନ୍ । ଏହାସହ ନାଟୋ ଦେଶର ପ୍ରତି ଇଞ୍ଚର ସୁରକ୍ଷା ପାଇଁ ଆମେରିକା ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Comments (0)
Add Comment