ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ପୀଡିତ ଥିଲେ ବିଜୟଶ୍ରୀ । ତେବେ କରୋନାରୁ ଭଲ ହେବା ପରେ ସେଫ୍ଟିସିମିଆ ରୋଗରେ ପୀଡିତ ଥିଲେ । ଆଜି ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ସେ ଆଖିବୁଜିଛନ୍ତି । ମେ ମାସ ୪ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ କୋଭିଡ଼ ପରବର୍ତ୍ତୀ ଜଟିଳତା ଯୋଗୁଁ ଚିକିତ୍ସାଧୀନ ଥିଲେ।

ବିଜୟଶ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ଥିଲେ। ବିଜୟଶ୍ରୀ ରାଉତରାୟ ୬ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡିରୁ ୪ଥର ଓ ଜନତା ଦଳରୁ ୨ ଥର ବିଧାୟକ ରହି ସାରିଛନ୍ତି ବିଜୟଶ୍ରୀ । ନବୀନ ସରକାରରେ ଏକାଧିକ ବିଭାଗର ସେ ମନ୍ତ୍ରୀ ଥିଲେ। ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ। ୧୯୮୦ ମସିହାରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ଥିବା ବିଜୟଶ୍ରୀ ୧୯୮୦ରେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ।ପ୍ରଥମ ଥର ପାଇଁ ୧୯୯୦ରେ ସେ ଭଦ୍ରକର ବାସୁଦେବପୁରରୁ ନିର୍ବାଚନ ମଣ୍ଡଳିରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ।

Comments (0)
Add Comment