ପିପିଲି ଉପ ନିର୍ବାଚନ ପାଇଁ ମୈଦାନରେ ୩ ଦଳର ପ୍ରାର୍ଥୀ ପ୍ରସ୍ତୁତ । ଉପ-ନିର୍ବାଚନ ପାଇଁ ପିପିଲି ରଣକ୍ଷେତ୍ରକୁ ଓହ୍ଲାଇ ସାରିଲେଣି ୩ ପ୍ରମୁଖ ଦଳର ଯୋଦ୍ଧା । ପିପିଲି ଫାଇଟ ପାଇଁ ବିଜେଡି ରୁଦ୍ର, ବିଜେପି ଆଶ୍ରିତ ଓ କଂଗ୍ରେସ ଅଜିତଙ୍କ ନାଁରେ ମୋହର ବାଜିବା ପରେ ସରଗରମ ହୋଇଛି ରାଜନୀତି । ପ୍ରଥମଥର ପାଇଁ ପିପିଲି ବାଜି କିଏ ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହୋଇପଡିଛି ।ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ନାମାଙ୍କନ ଭରିଛନ୍ତି ।
ବିଜେଡି ଟିକେଟରେ ବାପାଙ୍କ ପାରମ୍ପରିକ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଜୁନିଅର ମହାରଥୀ । ଆଜି ନାମାଙ୍କନ ପତ୍ର ଦାଖଲ ସହ ଲଢେଇ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରୁଦ୍ର ।ପିପିଲିରେ ଥିବା ବିଜେଡି କାର୍ୟ୍ୟାଳୟରୁ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହି ସମୟରେ ରୁଦ୍ରଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପର୍ୟ୍ୟବେକ୍ଷକ ପ୍ରତାପ ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ପିପିଲି ବାସୀଙ୍କ ଆଶୀର୍ବାଦ ରହିଛି, ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ରୁଦ୍ର କହିଛନ୍ତି। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଟିକେଟ ଦେବା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ପିପିଲି ଓ ଡେଲାଙ୍ଗ ଦୁଇ ବ୍ଲକରେ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ଟିମ୍ ଗଢି ପ୍ରଚାରକୁ ଆଗକୁ ନେବାକୁ ରଣନୀତି କରିଛି ବିଜେଡି ।
ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଯାଇ ଆଜି ନାମାନଙ୍କ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ସମର୍ଥକଙ୍କ ସହ ପିପିଲିରୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ଅଜିତ। ତେବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଛନ୍ତି। କଂଗ୍ରେସ ମଧ୍ୟ ପିପିଲି ଓ ଡେଲାଙ୍ଗରେ ନିଜର ଦବଦବା ଜାହିର ପାଇଁ ଉଦ୍ୟମ ଚଳାଇଛି ।