ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ୩୦ ଜଣିଆ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଧରିବେ ପ୍ରଚାରର ମଙ୍ଗ । ତାଲିକାର ପ୍ରଥମରେ ନବୀନ ପଟ୍ଟନାୟକଙ୍କ ନାଁ ଥିବା ବେଳେ ଦ୍ୱିତୀୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି । ତେବେ ପୁଣିଥରେ ପ୍ରଚାର ମୈଦାନରେ ଅନୁଭବଙ୍କୁ କୋଣଠେସା କରାଯାଇଛି ।
ତେବେ ଏଥର ବି ଷ୍ଟାର ପ୍ରଚାରକ ତାଲିକାରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ସାମିଲ କରାଯାଇ ନାହିଁ। ଗତଥରର ସାଧାରଣ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କର ଯଥେଷ୍ଟ କ୍ରେଜ ରହିଥିଲା। କିନ୍ତୁ ପାରିବାରିକ ବିବାଦରେ ଛନ୍ଦି ହେବା ପରଠାରୁ ଅନୁଭବଙ୍କୁ ଦଳ ସେତେଟା ଗୁରୁତ୍ୱ ଦେଉ ନଥିବା ମନେହେଉଛି । କାରଣ ଷ୍ଟାର ପ୍ରଚାରକ ତାଲିକାରେ ଦୁଇ ଅଭିନେତା ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ ଥିବା ବେଳେ ଅନୁଭବ ନାହାନ୍ତି। ଏପରିକି ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖିଥିଲା ଦଳ ।
ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସ୍ଥାନ ଦିଆଯାଇଛି। ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସମେତ ଦୁଇ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଆକାଶ ଦାସନାୟକଙ୍କ ଭଳି ନେତାଙ୍କୁ ସାମିଲ କରିଛି । ସେହିଭଳି ସିନେଚେହେରା ଭାବେ ବିଜେଡି ନେତା ଅରିନ୍ଦମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ଦଳ ।
ବିଜେଡି ଭଳି କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏଥିରେ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଓ ସୁର ରାଉତରାୟଙ୍କ ନାଁ ରହିଛି ।