ବିଜେଡି ଫୋକସରେ ମୟୁରଭଂଜ

ରାଜନୈତିକ ଦୃଷ୍ଟିକୋଣରୁ ମୟୁରଭଂଜର ଗୁରୁତ୍ୱ ଯଥେଷ୍ଟ ଉପରେ କାରଣ ଉଭୟ ବିଜେପି ଓ ବିଜେଡି ଏହି ଜିଲ୍ଲାରେ ନିଜ ସଂଗଠନକୁ ମଜଭୁତ କରିଛନ୍ତି । ୨୦୧୯ ଭୋଟ ରାଜନୀତି ଉପରେ ନଜର ପକାନ୍ତୁ । ମୟୁରଭଂଜ ଲୋକସଭା ଆସନ ବିଜେପି ହାତରେ ରହିଛି ଆଉ ଜିଲ୍ଲାର ୯ଟି ବିଧାନସଭା ଆସନରୁ ୬ଟିରେ ବିଜେପି ଜିତିଥିବା ବେଳେ ୩ଟି ଆସନ ବିଜେଡି ହାତରେ ରହିଛି । ଯାହା ଶାସକ ଦଳ ପାଇଁ ଚିନ୍ତାର କାରଣ ହୋଇଥିଲା । ବଡ କଥା ହେଉଛି ଦଳ ଭିତରେ ଜିଲ୍ଲା ସ୍ତରରେ ଥିବା ବିବାଦ ଏହା ପଛର ଏକ ବଡ କାରଣ ହୋଇ ଉଭା ହୋଇଥିଲା । ନେତା ଏକାଠି ନହେବା ସଂଗଠନ ଉପରେ ଜୋର ନଦେବା ହିଁ ଜିଲ୍ଲାରେ ବିଜେଡି ବିପର୍ଯ୍ୟୟ ପଛର ଏକ ବଡ କାରଣ ହେଲା ।

ଏହି ପ୍ରସଙ୍ଗ ବିଜେଡି ମୁଖିଆଙ୍କୁ ଏତେ ଅସ୍ତବ୍ୟସ୍ତ କରିଥିଲା ଯେ, ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଂଜ ଜିଲ୍ଲା ଦାୟିତ୍ୱ ନବୀନ ପ୍ରଦାନ କରିଥିଲେ । ଏହା ଆଗରୁ ଅରୁଣ ସାହୁ, ସଂଜୟ ଦାସବର୍ମାଙ୍କ ଭଳି ନେତା ଜିଲ୍ଲା ଦାୟିତ୍ୱରେ ଥିଲେ ବି ସ୍ଥିତିକୁ ସାମାନ୍ୟ କରିବାରେ ବିଫଳ ହୋଇଥିଲେ । ଆଉ ଜିଲ୍ଲା ସଂଗଠନକୁ ବିପର୍ଯ୍ୟୟ ଭିତରକୁ ଠେଲିଦେଇଥିଲେ । ବବି ଦାୟିତ୍ୱ ପାଇବା ପରେ ମୟୁରଭଂଜ ଜିଲ୍ଲା ସଂଗଠନକୁ ଦୁଇ ଭାଗରେ ବିଭକ୍ତ କରିଦେଲେ । ମୟୁରଭଂଜ ଏବଂ ମୟୁରଭଂଜ ସଦର ନାଁରେ ଦୁଇଟି ସାଂଗଠନିକ ଜିଲ୍ଲା କରି ଦୁଇ ଜଣଙ୍କୁ ସଭାପତି ଦାୟିତ୍ୱ ଦିଆଗଲା । ଆଉ ବବିଙ୍କୁ ସାହାଯ୍ୟ କରିବାକୁ ତାଙ୍କ ସହ ରହିଲେ ଦଳର କିଛି ଯୁବ ବିଧାୟକ । ଯେଉଁମାନେ ସଂଗଠନ ସଂପାଦକଙ୍କ ନିର୍ଦ୍ଦେଶକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଇଲେ । ଅନ୍ୟ ଦଳରୁ ନେତାଙ୍କୁ ଆଣି ଦଳରେ ମିଶାଇଲେ । ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦିନରେ ମୟୁରଭଂଜରେ ଏକ ବଡ ଧରଣର ରାଜନୈତିକ ଭୁକମ୍ପ ଦେଖିବାକୁ ମିଳିପାରେ ।

ଆଉ ଏବେ ଦଳର ରାଜ୍ୟ ପରିଷଦ ବୈଠକରେ ମୟୁରଭଂଜ ସଂକ୍ରାନ୍ତରେ ଏକ ବଡ ନିଷ୍ପତ୍ତି ହୋଇଛି । ଦଳୀୟ ବୈଠକରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ସ୍ତରରେ ଏହି ନିଷ୍ପତ୍ତି ଲାଗୁହେଲେ ଏହାର ଏକ ବଡ ଶ୍ରେୟ ବିଜେଡି ହାତକୁ ଯିବ । ଆଉ ମୟୁରଭଂଜରେ ଏହା ଏକ ରାଜନୈତିକ ମୁଦ୍ଦା ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଧନ୍ୟବାଦ ରାଜ୍ୟସଭା ସାଂସଦ ମମତା ମହନ୍ତ ଧନ୍ୟବାଦ ଜଣାଇଥିଲେ । ପୂର୍ବରୁ କଟକ ବଡ଼ ମେଡିକାଲକୁ ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି । ବଡ କଥା ହେଉଛି, ଏହା ପଛରେ ଏକ ବଡ ଧରଣର ରାଜନୈତିକ ଉଦ୍ଦେଶ୍ୟ ରହିଛି । ହେଲେ ବବିଙ୍କ ଏହି ରାଜନୈତିକ ବୁଦ୍ଧି ଦଳକୁ କେତେ ସଫଳତା ଆଣିଦେବ ତାହା ଉପରେ ରାଜନୈତିକ ମହଲର ନଜର ରହିଛି ।

Comments (0)
Add Comment