ଚାଷୀଙ୍କ ଠାରୁ ଧାନ କିଣିବେ କି ନାହିଁ ? ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗିବେ କି ନାହିଁ ? ଏହି ଦୁଇଟି ପ୍ରସଙ୍ଗରେ ଗତ ୫ ଦିନ ହେଲା ବିଧାସଭା ଅଚଳ । ଉଭୟ ଶାସକ ଓ ବିରୋଧୀ କେହି ନିଜ ଜିଦରୁ ହଟୁନଥିବା ବେଳେ ରାଜଭବନ ଗଲା ବିଧାନସଭା ।
ରାଜରାସ୍ତାରେ ବିଜେଡି ଦଳର ବିଧାୟକ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି । ତେଣୁ ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରି ରାଜରାସ୍ତାରେ ଚାଲିଚାଲି ବିଧାନସଭାରୁ ବାହାରି ବିଜେଡି ବିଧାୟକ ରାଜଭବନ ଯାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷ ଲାଲଙ୍କୁ ବିଜେଡି ବିଧାୟକ ଭେଟି ଏନେଇ ଅବଗତ କରାଇଛନ୍ତି । ବିଧାୟକ କ୍ଷମା ନମାଗିଲେ ଗୃହ ଚଳାଇଦେବୁ ନାହିଁ ବୋଲି କହିଛନ୍ତି ଶାସକ ଦଳର ସଦସ୍ୟ । ଚାଷୀଙ୍କ ବାବଦରେ ଆଲୋଚନା କରିବାକୁ ସରକାର ରାଜି ଅଛନ୍ତି କିନ୍ତୁ ବିଜେପି ସଦସ୍ୟ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୩୦ ଯାଏଁ ଧାନ କିଣାଯିବ ବୋଲି କୁହାଯାଇଛି, ଏପରିକି ସରକାର ଧାର୍ୟ୍ୟ ନିଷ୍ପତି ଠାରୁ ଅଧିକ ଧାନ ଉଠାଇ ସାରିଲେଣି କିନ୍ତୁ ଏହାସତ୍ତେ୍ୱ ମଧ୍ୟ ବିରୋଧୀ ବିଜେପିର ଏଭଳି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜେଡି ।
ଆଜି ବି ଚାଲିପାରିନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ୟ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି ଯୋଗୁ ଗୃହ କାର୍ୟ୍ୟ ମୁଲତବି ରଖିଲେ ବାଚସ୍ପତି । ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ୫ ଦିନ ବିତିଥିଲେ ମଧ୍ୟ ଦିନଟିଏ ପ୍ରଶ୍ନକାଳ ଚାଲିପାରିନାହିଁ । ଜଙ୍ଗଲ ନିଆଁଠୁ ଆରମ୍ଭ କରି ରାଜ୍ୟରେ ଘୋର ଜଳ ସଂକଟ ଦେଖାଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତ ମୁଲତବୀଟିଏ ଆଲୋଚନାଟି ହୋଇପାରୁନି ।