କେନ୍ଦ୍ର ଅବହେଳା ଅସ୍ତ୍ର ଛାଡିଲା ବିଜେଡି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗରେ ବିଜେଡ଼ିର ପ୍ରତିବାଦ । ବିଧାନସଭାରୁ ଚାଲି ଚାଲି ରାଜଭବନ ପର୍ୟ୍ୟନ୍ତ ଯାଇଛି ବିଜେଡ଼ି ।ରାଜଭବନ ସମ୍ମୁଖରେ ବିଜେଡି ବିଧାୟକ ଓ କର୍ମୀମାନେ ଧାରଣା ଦେଇଛନ୍ତି । ଦରଦାମ୍‌ ବୃଦ୍ଧିରେ ନିୟନ୍ତ୍ରଣ ନାହିଁ, ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ନୀତି ବିରୋଧରେ ଦଳ ରାଜରାସ୍ତାକୁ ଓହ୍ଲାଇଛି ।
କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ପାତର ଅନ୍ତର କରିଛନ୍ତି । ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୫ଲକ୍ଷ । ବାକି ୮ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ଶୁଣୁନଥିବା ଅଭିଯୋଗ କରିଛି ବିଜେଡ଼ି ।
ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି । ଏହାପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଆରମ୍ଭ କରାଯାଇନି । ଯାହାକୁ ଦୃଢ଼ ବିରୋଧ କରିଛି ବିଜେଡି ।ଓଡ଼ିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ଘର ଘର ମିଳୁନି । ଏପରିକି ଫୋନି ସହାୟତା ଘର ମିଳିନଥିବା ଅଭିଯୋଗ ହୋଇଛି ।ଯଦି କେନ୍ଦ୍ର ସରକାର ଏଭଳି ପାତରଅନ୍ତର ନୀତିରୁ ଦୂରେଇ ନ ରୁହନ୍ତୁ ତେବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।
ସେପଟେ ମମିତା ପ୍ରସଙ୍ଗକୁ ନେଇ ବିଜେଡି ବ୍ୟାକଫୁଟରେ ଥିବାରୁ ଏଭଳି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଉଥିବା କହିଛନ୍ତି ବିରୋଧୀ । ମମିତା ପ୍ରସଙ୍ଗରୁ ନଜର ହଟାଇବାକୁ ଏଭଳି କରୁଥିବା କହିଛନ୍ତି ବିରୋଧୀ । କିନ୍ତୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସବୁବେଳେ ଲଢି ଆସିଛି ବିଜେଡି ।

Comments (0)
Add Comment