ମୁଣ୍ଡ ଉପରେ ପୌର ନିର୍ବାଚନ ସହ ପଂଚାୟତ ନିର୍ବାଚନ । ତା ପୂର୍ବରୁ ବିଜେଡି କରୁଛି ମାଷ୍ଟର ପ୍ଲାନ । ସବୁ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଖେଳ ମାଧ୍ୟମରେ ବିଜେଡି ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ପଲଟିକାଲ ମୈଦାନରେ ଏକ ବଡ଼ ଖେଳାଳୀ ଭାବେ ଉଭା ହେବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତି କରୁଛି ବିଜେଡି । ମୟୁରଭଂଜ ପରେ ଏବେ ମାଲକାନଗିରିରେ ଖେଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ମୟୁରଭଂଜ ପ୍ରିମିୟମ ଲିଗ ପରେ ମାଲକାନଗିରିରେ ମଧ୍ୟ ବିଭିନ୍ନ ପ୍ରକାର କ୍ରୀଡା ଆୟୋଜନ କରି ଯୁବ ଗୋଷ୍ଠୀଙ୍କୁ ଏକାଠି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଶାସକ ବିଜେଡି ଦଳ ।
ପଂଚାୟତ ନିର୍ବାଚନରୁ ସାଧାରଣ ନିର୍ବାଚନ । ସବୁବେଳେ ଶାସକ ବିଜେଡି ଦଳ ପାଇଁ ଆହ୍ୱାନ ସୃଷ୍ଟି କରିିଛି । ଆଉ ଏହି ଚ୍ୟାଲେଂଜକୁ ମୁକାବିଲା କରିବା ପାଇଁ ଦଳ ତିଆରି କରିଛି ନଆ ରଣନୀତି । ପୌର ଓ ପଂଚାୟନ ନିର୍ବାଚନ ପୂର୍ବରୁ ମୟୁରଭଂଜ ପ୍ରିମିୟର ଲିଗ ପରେ ଏବେ ମାଲକାନଗିରି ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ଆୟୋଜନ କରି ଯୁବ ଭୋଟରଙ୍କୁ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବିଜେଡି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାକୁ ଜିଲ୍ଲା ବୁଲି ବିଭିନ୍ନ ସମାବେଶ ଆୟୋଜନ କରାଯାଉଛି । ମାଲକାନଗିରିରେ ଜିଲ୍ଲାରେ ମଧ୍ୟ ଏକ ବିରାଟ ଯୁବ ଓ ଛାତ୍ର ସମାବେଶର ଆୟୋଜନ କରାଯାଇଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଯୋଗ ଦେଇଥିଲେ । ଆଗକୁ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗୀତା ଆୟୋଜନ କରି ଯୁବ ଗୋଷ୍ଠୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । କ୍ରିକେଟ ଏବଂ ଫୁଟବଲ ଭଳି ଲୋକପ୍ରିୟ ଖେଳ ମାଧ୍ୟମରେ ଯୁବ ଗୋଷ୍ଠୀକୁ ଦଳ ପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ବିଜୁ ଜନତା ଦଳ ।
ରାଜନୀତିରେ ପରୀକ୍ଷା ନୀରିକ୍ଷା ନୂଆ କଥା ନୁହେଁ । ଆଉ ଏହି ପରୀକ୍ଷା ଭିତରେ ଖେଳକୁ ସାମନାକୁ ଆଣିଛି ବିଜେଡି । କାରଣ ମୟୁରଭଂଜ ପରି ୨୦୧୭ ପଂଚାୟତ ନିର୍ବାଚନରେ ମାଲକାନଗିରିରେ ମଧ୍ୟ ବଡ଼ ବିପର୍ଯ୍ୟୟର ସମ୍ମଖୀନ ହୋଇଥିଲା ବିଜେଡି । ମାଲକାନଗିରି ଜିଲ୍ଲାର ଅନେକ ଜିଲ୍ଲା ପରିଷଦ ଆସନ ବିଜେଡି ହାତରୁ ଖସିଯାଇଥିଲା । ୧୫ ଆସନରୁ ମାତ୍ର ଗୋଟିଏ ଆସନ ହାତେଇଥିଲା ବିଜେଡି । ୨ଟି କଂଗ୍ରେସ ଓ ଅନ୍ୟ ୧୦ଟି ଜିଲ୍ଲାପରିଷଦ ଆସନ ବିଜେପି ହାତକୁ ପଳାଇଥିଲା । ସେହିପରି ୨ ବର୍ଷ ପରେ ସାଧାରଣ ନିର୍ବାଚନରେ ମାଲକାନଗିରିରେ ୨ଟି ବିଧାନସଭା ଆସନରୁ ଗୋଟିଏ ଆସନ ବିଜେଡି ହାତେଇଥିଲା । ଯୁବ ଖେଳାଳୀଙ୍କୁ ଆଗକୁ ନେବାକୁ ଉଦ୍ୟମ କରୁଛି ବିଜେଡି । ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ୱାବଧାନର ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗୀତା ଆୟୋଜନ କରାଯାଉଛି । ସେପଟେ ଖେଳ ଆୟୋଜନକୁ ରାଜନୀତିର ରଂଗ ଦେଇଛନ୍ତି ବିରୋଧୀ ।