ବିଜେଡି ବ୍ୟୁହକୁ ଭେଦ କରିପାରିବ କି ବିଜେପି?


ପିପିଲି ନିର୍ବାଚନ ପାଇଁ ଆଜିଠୁ ବିଧିବଦ୍ଧ ଭାବେ ବାଜିଛି ବିଗୁଲ । ହାଇଭୋଲଟେଜ ଲଢେଇ ପାଇଁ ପ୍ରସ୍ତୁତ ହେଲାଣି ପିପିଲି ଋଣଭୂମି । ୪୦ ଡିଗ୍ରୀ ଖରାକୁ ଖାତିର ନକରି ନେତା ଏବେ ପିପିଲି ମୁହାଁ । ଏସବୁ ଭିତରେ ପିପିଲି ବାଜି ଜିତିବ କିଏ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନାମାଙ୍କନପତ୍ର ଦାଖଲ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ ୩ ମୁଖ୍ୟ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । କେବଳ ଯାହା ଋଣନୀତିକୁ ନେଇ ଆଗକୁ ବଢୁଛନ୍ତି ୩ ଦଳ । ଖାସକରି ବିଜେଡି ଶିବିର ପିପିଲି ଉପ-ନିର୍ବାଚନ ପାଇଁ ଜି ଜାନ ଲଗାଇ ଦେଇଛି । ନିଜର ପିପିଲି ଗଡ ବଞ୍ଚାଇବାକୁ ଏବେ ବିଜେଡି ପକ୍ଷରୁ ଅଙ୍କକଷା ଚାଲିଛି । ଯେଉଁଥିପାଇଁ ଦଳୀୟ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା ସୂଚନା ମିଳିଛି ।

ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ମୁତାବକ, ପିପିଲି ଉପ-ନିର୍ବାଚନ ପାଇଁ ଗତକାଲି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଷ୍ଟ୍ରାଟେଜି ମେକର ପ୍ରଣବ ପ୍ରକାଶ ଦାଶଙ୍କ ଘରେ କବାଟ କିଳା ବୈଠକ ବସିଥିଲା । ଯେଉଁ ବୈଠକରେ ପିପିଲି ଗଡ ଦଖଲ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ଦଳର ଛାମୁଆ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟାଯାଇଛି । ଆଉ ଏହାସହ ପାଟକୁରା, ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଭଳି ପିପିଲିରେ ମଧ୍ୟ ସମାନ ଫର୍ମୁଲା ଆପଣାଇବାକୁ ଆପାତତଃ ସ୍ଥିର ହୋଇଛି । ଅଥାର୍ତ ପ୍ରତି ପଞ୍ଚାୟତ, ଏନଏସି ଓ ବୁଥକୁ ଜଗିବାକୁ ବିଜେଡିର ଜଣେ ଜଣେ ବିଧାୟକଙ୍କ ସମେତ ଛାତ୍ର ଓ ଯୁବ ସଙ୍ଗଠନରୁ ଜଣେ ଲେଖାଏଁ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ପଞ୍ଚାୟତ ଓ ବୁଥ୍ ସ୍ତରରେ କ୍ୟାମ୍ପ କରି ବିଜେଡିର ଭୋଟବ୍ୟାଙ୍କକୁ ବଢାଇବେ । ପରସ୍ପର ଭିତରେ ଯେପରି ସମନ୍ୱୟ ରଖିହେବ ସେଥିପାଇଁ ବିଭିନ୍ନ ପଞ୍ଚାୟତର ଦାୟିତ୍ୱ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଭିତରେ ବାଣ୍ଟି ଦେବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ଯେଉଁମାନେ ପ୍ରତିଦିନର ରିପୋର୍ଟ ବିଜେଡିର ଥିଙ୍କଟ୍ୟାଙ୍କୁ ପଠାଇବେ ଓ ସେହି ଅନୁସାରେ ବିଜେଡିର ଋଣନୀତିରେ ମଧ୍ୟ ପରିବର୍ତ୍ତନ କରାଯିବ । ଯାହାର ଝଲକ ମଧ୍ୟ ପିପିଲିରେ ଦେଖିବାକୁ ମିଳିଲାଣି । ବିଜେଡିର କିଛି ନେତା ଆଜିଠୁ ପିପିଲିର ବିଭିନ୍ନ ୱାର୍ଡ ବୁଲିବା ସହ ସଙ୍ଗଠନକୁ ସଜାଡିବାକୁ ଘନ ଘନ ବୈଠକ କରିଥିବାର ଦେଖିବାକୁ ମିଳିଛି ।

ପିପିଲିରେ ବିଜେଡି ଏତେ ସକ୍ରିୟ ହେବା ପଛର ସବୁଠୁ ବଡ କାରଣ ହେଲା ବିଜେପି । ପଦ୍ମ ଦଳ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ ସତ କିନ୍ତୁ ୨୦୧୯ ନିର୍ବାଚନର ଫଳାଫଳ ବିଜେଡି ପାଇଁ ସତର୍କଘଣ୍ଟି ବଜାଇ ସାରିଛି । ପିପିଲିରେ ପଦ୍ମ ଦଳ ତାହାର ପତିଆରା ଜାହିର କରୁଥିବା ବେଳେ ବିଜେଡି ପାଇଁ ଗୋଷ୍ଠୀ ବିବାଦ ବୁମେରାଂ ସାଜିପାରେ । ଏହାବାଦ୍ ସଜ ସଜ ସରିଥିବା ଏକ ସରପଞ୍ଚ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ବିଜେଡିର ଷ୍ଟ୍ରାଟେଜି ମେକରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ଦୀର୍ଘ ଦିନ ଧରି ବିଜେଡିର ସୁରକ୍ଷିତ ଗଡ ରହି ଆସିଥିବା ପିପିଲି ଯେପରି ହାତରୁ ଖସି ନଯାଏ ସେଥିପାଇଁ ଦଳ ପକ୍ଷରୁ ସମରସଜ୍ଜା କରାଯାଇଛି । ଆଉ ପିପିଲି ପାଇଁ ବବି ଯେଉଁ ବ୍ୟୁହ ରଚନା କରିଛନ୍ତି ତାହାକୁ ଭେଦ କରିବା ବିଜେପି ପାଇଁ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି । କାରଣ ଏହାପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ମଧ୍ୟ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇ ସାରିଛନ୍ତି ବବି ।

ପିପିଲି ଯୁଦ୍ଧ ପାଇଁ ସିନା ବିଜେଡି ପକ୍ଷରୁ ସେନା ପ୍ରସ୍ତୁତ ସରିଛି କିନ୍ତୁ କାହା ନେତୃତ୍ୱରେ ଦଳ ଏଠାରେ ଯୁଦ୍ଧଭୂମିକୁ ଓହ୍ଲାଇବ ତାହା ଏଯାଏଁ ସ୍ଥିର ହୋଇନି । ପ୍ରାର୍ଥୀ ଘୋଷଣାକୁ ନେଇ ବିଜେଡି ଶିବିରରେ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ମହାରଥୀଙ୍କ ପରିବାରରୁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ସଂକେତ ମିଳୁନଥିବା ବେଳେ ପ୍ରତିଥର ଭଳି ନବୀନ ପୁଣିଥରେ ସରପ୍ରାଇଜ ନିଷ୍ପତି ନେବେ କି ତାହାକୁ ନେଇ ମଧ୍ୟ ସସପେନ୍ସ ଲାଗି ରହିଛି । ପିପିଲି ଆସନ ପାଇଁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ପତ୍ନୀ ପ୍ରତିଭା ମହାରଥୀ ହୁଅନ୍ତୁ ବା ପୁଅ ରୁଦ୍ର ମହାରଥୀ । ଏହି ଦୁହିଁଙ୍କ ଭିତରୁ କାହାକୁ ଟିକେଟ ଦେଲେ ଦଳ ଫ୍ରଣ୍ଟଫୁଟରେ ରହିବ ତାହାକୁ ନେଇ ଅଙ୍କକଷା ଚାଲିଛି । ଅନ୍ୟପଟେ ମହାରଥୀଙ୍କ ଦେହାନ୍ତ ପରେ ପରିବାରବାଦ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଡେଲାଙ୍ଗ ବ୍ଲକରୁ ଦାବି ଉଠିଛି । ଦୀର୍ଘ ଦିନ ଧରି ପିପିଲି ଅଞ୍ଚଳରୁ ଟିକେଟ ଦିଆଯାଉଥିବା ବେଳେ ଏଥର ଡେଲାଙ୍ଗ ବ୍ଲକରୁ ଟିକେଟ ଦିଆଯାଉ ବୋଲି ଦାବି କରି ବିଜେଡିର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନିକଟରେ ଫେରାଦ ହୋଇଛନ୍ତି ଡେଲାଙ୍ଗର ବିଜେଡି କର୍ମୀ । ତେଣୁ ଏହା ସ୍ପଷ୍ଟ ସଂକେତ ଦେଉଛି ଯେ, ଟିକେଟକୁ ନେଇ ବିଜେଡି ମଧ୍ୟରେ ବଡ ଧରଣର ଫାଟ ସୃଷ୍ଟି ହୋଇପାରେ । ତେଣୁ ଟିକେଟ ଦେବା ପୂର୍ବରୁ ପ୍ରତିଟି ଭୋଟର ମିଶାଣ, ଫେଡାଣ କରୁଛି ବିଜେଡି ।

ଏହାଛଡା ପିପିଲି ବିଜୟ ପାଇଁ ବିଜେଡି ଏଭଳି ସକ୍ରିୟ ହେବା ପଛର ସବୁଠୁ ବଡ କାରଣ ହେଲା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ । ଏହି ଦୁଇ ନିର୍ବାଚନ ଆଗକୁ ଥିବା ବେଳେ ପିପିଲି ଉପ-ନିର୍ବାଚନର ଫଳାଫଳ ଓଲଟପାଲଟ ହୋଇଗଲେ ରାଜ୍ୟବାସୀଙ୍କ ନିକଟକୁ ଭିନ୍ନ ବାର୍ତ୍ତା ଯିବ । ତେଣୁ ପିପିଲି ଉପ-ନିର୍ବାଚନରେ ବିଜୟ ବାନା ଉଡାଇ ରାଜ୍ୟରେ ନବୀନଙ୍କ କ୍ରେଜ ଓ ଲୋକପ୍ରିୟତା ଏବେ ବି ରହିଛି ବୋଲି ବାର୍ତ୍ତା ଦେବାକୁ ଚାହୁଁଥାଇପାରେ ବିଜେଡି । ଯେଉଁଥିପାଇଁ ପିପିଲି ନିର୍ବାଚନରେ ନିଜର ବିଧାୟକ ମାନଙ୍କୁ ୱାର୍ଡ ଓ ପଞ୍ଚାୟତସ୍ତରରେ ସଙ୍ଗଠନକୁ ସଜାଡିବାକୁ ଦାୟିତ୍ୱ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି ।

Comments (0)
Add Comment