ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ । ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ।
ନିର୍ବାଚନରେ ସର୍ବନିମ୍ନ ୨୭% ଓବିସି ପ୍ରାର୍ଥୀ କରାଯିବ । କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀରେ ସଂରକ୍ଷଣ ସୁବିଧା ପାଉଛନ୍ତି । ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ଚାହିଁଲେ କୌଣସି ଯୋଗ୍ୟ ଜାତିକୁ ଏସଇବିସି ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏ ପର୍ୟ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।