ସମ୍ପତ୍ତି ତାଲିକା କଣ ସତରେ ଦୁର୍ନୀତି ଦୁର କରିପାରିବ?

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ମୁଖିଆ ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯେଉଁ ଆହ୍ୱାନ ଦେଲେ ଏବଂ ଏନେଇ ଯେଉଁ ରୋଡମ୍ୟାପ୍ ରାଜ୍ୟବାସୀଙ୍କ ସାମ୍ନାରେ ରଖିଲେ, ତାକୁ ବୁଝିବା ଖୁବ୍ ସହଜ ହେଲେ ବାସ୍ତବିକତାରେ କାର୍ଯ୍ୟକାରୀ କରିବା କଷ୍ଟକର ବ୍ୟାପାର । ସରପଂଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଅର୍ଥାତ୍ ସମସ୍ତ ଜନପ୍ରତିନିଧି ପ୍ରତିବର୍ଷ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଏହାକୁ ପବ୍ଲିକ ଡୋମେନରେ ରଖାଯିବା ସହ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯିବ । ସେହିଭଳି ସରକାରୀ ସ୍ତରରେ ଏଂଟ୍ରୀ ଲେବୁଲରୁ ଆରମ୍ଭକରି ମୁଖ୍ୟଶାସନ ସଚିବଙ୍କ ଯାଏଁ ମଧ୍ୟ ସମସ୍ତେ ବାର୍ଷିକ ନିଜ ସଂପତ୍ତି ତାଲିକା ପ୍ରଦାନ କରିବେ । ହେଲେ ବଡ କଥା ହେଉଛି ତାଲିକା ଦେଲେ କଣ ଦୁର୍ନୀତି ଅଟକିଯିବ କି?

ପଂଚାୟତ ସ୍ତରରେ ହେଉଥିବା ଦୁର୍ନୀତି ବାବଦରେ ସମସ୍ତେ ଅବଗତ ଅଛନ୍ତି । ଇନ୍ଦିରା ଆବାସଟିଏ ଠାରୁ ଆରମ୍ଭ କରି ଭତ୍ତା କାର୍ଡ ଯାଏଁ କାହାକୁ କେତେ ଟଙ୍କା ହାତଗୁଂଜା ଦେବାକୁ ପଡେ ଏହା ପୂର୍ବରୁ ନିର୍ଦ୍ଧାରିତ ହିଇ ରହିଥିବା ଚର୍ଚ୍ଚା ହୁଏ । କିଏ କେତେ ଟଙ୍କା ନେବ, ସେକଥା ହିତାଧିକାରୀ ମଧ୍ୟ ଉଣାଅଧିକେ ଜାଣିସାରିଛନ୍ତି । ବଡ କଥା ହେଉଛି, ଏଥିପାଇଁ କେହି କେବେ ପ୍ରତିବାଦ ବି କରିନାହାନ୍ତି, କାରଣ ଟଙ୍କା ଦେବାକୁ ମନାକଲେ ସେମାନଙ୍କ କାମ ଅଟକିଯିବାର ଭୟ ରହିଥାଏ । ଆଉ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କଲେ ତାର ପ୍ରଭାବ କଣ ସତରେ ଗାଁ ଗହଳି ଯାଏଁ ପଡିବ କି? ଅର୍ଥାତ୍ ଦୁର୍ନୀତି କରିବାକୁ ସମସ୍ତ ଜନ ପ୍ରତିନିଧି ଡରିବେ?

ନଜର ପକାଇବାର କଥା ହେଉଛି, ବାର୍ଷିକ ଯେଉଁ ତାଲିକା ସମସ୍ତ ଜନ ପ୍ରତିନିଧି ଦେବେ ତାହା ଉଭୟ ସ୍ଥାବର ଆଉ ଅସ୍ଥାବର ସଂପତ୍ତିର ହେବ କି? ବ୍ୟାପିନି ପ୍ରତିନିଧି ଏହାର ପୁରା ତଥ୍ୟ ହାସଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ହୁଏତ ଆଗାମୀ ଦିନରେ ଜନ ପ୍ରତିନିଧି ନିଜ ନାଁରେ ଆଉ ସଂପତ୍ତି ନକରି ନିଜ ସଂପର୍କୀୟଙ୍କ ନାଁରେ ସଂପତ୍ତି ଠୁଳ କରିବେ, ଯାହାକୁ ଠାବ କରିବା ସହଜ ହେବନାହିଁ । ଏପରିକି ସରପଂଚଟିଏ ନିଜର ସଂପତ୍ତି ତାଲିକାର ଯେ ସଠିକ ହିସାବ ଦେବ, ତାହା ଆଶା କରିବା ମଧ୍ୟ ଭୁଲ ହୋଇପାରେ । ଏହି ଘୋଷଣାରେ ଏମିତି ଅନେକ ଗଳାବାଟ ରହିଛି, ଯାହାର ଫାଇଦା ଜନପ୍ରତିନିଧି ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆଉ ଏକ ବଡ ତଥ୍ୟ ଉପରେ ନଜର ପକାନ୍ତୁ । ସର୍ବଭାରତୀୟ ସ୍ତରର ସରକାରୀ ଅଧିକାରୀ ଆଜି ବି ନିଜର ସଂପତ୍ତି ତାଲିକା ପ୍ରଦାନ କରୁଛନ୍ତି । ଏହାର ଅର୍ଥ କଣ ସେମାନେ ଦୁର୍ନୀତିକୁ ନିଜକୁ ଦୁରେଇ ରଖିପାରିଛନ୍ତି । କିଛି ଲୋକ ଏଭଳି ଦୁର୍ନୀତିଗ୍ରସ୍ତ ହୋଇଛନ୍ତି ଯେ ସେମାନଙ୍କର ସଂପତ୍ତି ଠାବ କରିବାକୁ ମାସାଧିକ ସମୟ ଲାଗିଯାଉଛି । ଅଭୟକାନ୍ତ ପାଠକଙ୍କୁ ଉଦାହରଣ ଭାବେ ନିଆଯାଉ । ସିଏ ବି କେନ୍ଦ୍ର ସରକାରଙ୍କ ନିକଟରେ ନିଜର ସଂପତ୍ତି ତାଲିକା ଦାଖଲ କରୁଥିଲେ, ଏହାର ଅର୍ଥ କଣ ସେ ଦୁର୍ନୀତିଗ୍ରସ୍ତ ନଥିଲେ? ପୂର୍ବରୁ ରାଜ୍ୟରେ ଆଇଏଏସ ଅଧିକାରୀ ଗିରଫ ମଧ୍ୟ ହୋଇଛନ୍ତି, ସେତେବେଳେ ସଂପତ୍ତି ତାଲିକା ଦେବାର କଣ ପ୍ରଭାବ ରହୁଥିଲା, ତାକୁ ମଧ୍ୟ ବୁଝିବାର ଆବଶ୍ୟକତା ରହୁଛି ।

ରାଜ୍ୟରେ ଦୁର୍ନୀତିର ଚେର କେତେ ଦୁର ଯାଏଁ ଲମ୍ବିଯାଇଛି ସେହି ତଥ୍ୟ ଉପରେ ନଜର ପକାନ୍ତୁ । ମୁଖ୍ୟମନ୍ତ୍ରୀ ଦଳର ରାଜ୍ୟ ପରିଷଦକୁ ଉଦବୋଧନ ଦେଇ କହିଥିଲେ, ବର୍ଷକରେ ୯୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛୀ ଏବଂ ସେମାନଙ୍କର ପେନସନ ମଧ୍ୟ ବନ୍ଦ କରାଯାଇଛି । କରୋନା କାଳରେ ପାଖାପାଖି ୮ ମାସରେ ଏଭଳି ଖୁବ କମ୍ ପଦକ୍ଷେପ ନିଆଯାଇଥିବ । ଆଉ ଯଦି ମାତ୍ର ୪ ମାସରେ ଯଦି ସର୍ବାଧିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତେବେ ଦୁର୍ନୀତିର ମାତ୍ରା ପ୍ରଶାସନିକ କଳରେ କିଭଳି ପଶିଛି, ସତାର ଏହା ଏକ ନଜିର । ଅର୍ଥାତ୍ ଘୋଷଣା ଆଉ ବାସ୍ତବିକତା ଭିତରେ ଥିବା ଫରକକୁ ବୁଝିବାର ଆବଶ୍ୟକତା ରହୁଛି । ସଂପତ୍ତି ତାଲିକା ଘୋଷଣା କରିଦେଲେ ଯେ ଦୁର୍ନୀତି ଅଟକିଯିବ ଏହାମଧ୍ୟ ଭାବିବା ଭୁଲ ।

Comments (0)
Add Comment