ପିପିଲି ଫାଇଟ ପାଇଁ ପଦ୍ମ ଦଳ ତାର ସିପାହୀକୁ ମୈଦାନକୁ ଓହ୍ଲାଇଛି । ପିପିଲିରେ ପଦ୍ମ ଫୁଟାଇବାକୁ ଆଶ୍ରିତଙ୍କ ଆଶ୍ରାରେ ଏବେ ବିଜେପି । କୌଣସି ଦଳ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରି ପିପିଲି ଲଢେଇରେ ଗୋଟିଏ ପାଦ ଆଗରେ ରହିଛି । ଏହାସହ ପିପିଲି ଗଡରେ କିଭଳି ଗେରୁଆ ବାନା ଉଡିବ ସେଥିପାଇଁ ବ୍ଲୁ-ପ୍ରିଣ୍ଟପ୍ରସ୍ତୁତ ସରିଛି ।
ପିପିଲିରେ ବିଜେପିରୁ ଆଶ୍ରିତ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିଲା । କାରଣ ଆଶ୍ରିତଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ସେଭଳି କୌଣସି ଦ୍ୱନ୍ଦ୍ୱ ନଥିଲା । ଏହାଛଡା ବିଭିନ୍ନ ବୈଠକରେ ଆଶ୍ରିତଙ୍କ ଉପସ୍ଥିତି ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ଶତପ୍ରତିଶତ ସଂକେତ ଦେଇ ସାରିଥିଲା । କେବଳ ଯାହା ଔପଚାରିକ ଘୋଷଣାକୁ ଅପେକ୍ଷା ରହିଥିଲା । ଯେଉଁଥିରେ ମୋହର ମାରିଛି ଦଳ ।
ଆଶ୍ରିତଙ୍କୁ ଦଳ ବାଛିବା ପଛର ଆଉ ଏକ କାରଣ ହେଲା ୨୦୧୯ ନିର୍ବାଚନର ଫଳାଫଳ । ୨୦୧୯ ସାଧାରଣ ନିର୍ବାଚନରେ ଆଶ୍ରିତ ବିଜେଡିର ହେଭିୱେଟ କୁହାଯାଉଥିବା ପ୍ରଦୀପ ମହାରଥୀଙ୍କ ଠାରୁ ମାତ୍ର ୧୫ ହଜାର ଭୋଟରେ ପରାଜିତ ହୋଇଥିଲେ । ପିପିଲି ବିଜେଡିର ଗଡ ହୋଇଥିଲେ ମଧ୍ୟ କଡା ଟକ୍କର ଦେଇଥିଲେ ଆଶ୍ରିତ, ଯାହା ଅନୁଭବୀ ମହାରଥୀଙ୍କ ଚିନ୍ତା ବଢାଇ ଦେଇଥିଲା । ଆଉ ଏବେ ମଧ୍ୟ ବିଜେପି ପାଖରେ ସେହି ୨୦୧୯ର ଭୋଟବ୍ୟାଙ୍କ ରହିଛି । ଯାହାକୁ ଦଳ ପାଇଁ ସବୁଠୁ ବଡ ବଳ । ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନରେ ଆଶ୍ରିତ ହେଉଛନ୍ତି ସବୁଠୁ ବଡ ଚେହେରା । କଂଗ୍ରେସ ଓ ବିଜେଡି ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଆଶ୍ରିତଙ୍କ ପାଇଁ ଏହା ଆର୍ଶୀବାଦ ପାଲଟିପାରେ । ତେଣୁ ପିପିଲିରେ ବିଜେପି ପାଇଁ ସବୁଠୁ ଭରସାଯୋଗ୍ୟ ସିପାହୀ ଥିଲେ ଆଶ୍ରିତ, ଯିଏ ସବୁଜ ଗଡରେ ଗେରୁଆ ବାନା ଉଡାଇବାର କ୍ଷମତା ରଖିଛନ୍ତି । ଏହାଛଡା ଆଶ୍ରିତଙ୍କର କଂଗ୍ରେସ ବ୍ୟାକଗ୍ରାଉଣ୍ଡ ରହିଥିବା ବେଳେ ବିଜେଡିର ଗୋଷ୍ଠୀ କନ୍ଦଳ ବିଜେପିକୁ ବେଶ ସୁହାଇବ ବୋଲି କୁହାଯାଉଛି । ତେଣୁ ପିପିଲିରେ ବିଜେପି ପାଇଁ ଆଶ୍ରିତ ଆଶାର କିରଣ ସାଜି ଉଭା ହୋଇଛନ୍ତି ।