ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ନେତାଙ୍କ ଆଖିରୁ ନିଦ ହଜିଯାଇଛି । ପ୍ରଥମେ ଅରୁଣ ସାହୁ ଆଉ ଏବେ ପ୍ରତାପ ଜେନାଙ୍କ ପଛରେ ପଡିଛି ଦଳ । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତ ଦୁଇ ପାଦ ଆଗକୁ ପଳାଇଲେ । ଏଫଆଇଆରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ ଥିବାରୁ ତାଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟରୁ ବରଖାସ୍ତ କରନ୍ତୁ ବୋଲି ଟ୍ୱିଟ କରିଦେଲେ । ବିଜେପିର ଏହି ନେତ୍ରୀ ଟ୍ୱିଟ କରି ଲେଖିଲେ, ରାଜ୍ୟ ବିଜେପିର ବରିଷ୍ଠ ତୋ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ନିର୍ମମ ହତ୍ୟାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଏଫଆଇଆରରେ ଥିବା ହେତୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରନ୍ତୁ । ଆଉ ଏଫଆଇଆର ଆଧାରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ।
ଲେଖାଶ୍ରୀଙ୍କ ଏହି ଯୁକ୍ତି ହାସ୍ୟାସ୍ପଦ ଏବଂ ଚିନ୍ତାଜନକ ମଧ୍ୟ । ଏହି ଟ୍ୱିଟରୁ ଆପଣ ଜାଣିପାରୁଥିବେ ରାଜ୍ୟ ରାଜନୀତିର ଗତି କୁଆଡେ ଯାଉଛି । ଯଦି ଏଫଆଇଆରରେ କାହା ନାଁ ସାମ୍ନାକୁ ଆସିଗଲା, ତେବେ କଣ ତାକୁ ଗିରଫ କରିଦିଆଯିବ । ବିଜେପିର ଏହି ନେତ୍ରୀଙ୍କୁ ଦେଶର ରାଜନୈତିକ ଫର୍ଦ୍ଦ ଓଲଟାଇବାର ଆବଶ୍ୟକତା ରହିଛି । ଆଉ ପ୍ରତିଟି ଫର୍ଦ୍ଦରେ ସେ ଦେଖିବେ କିଭଳି ଜଘନ୍ୟ କାଣ୍ଡ ଭିଆଇ ନେତା ଗୁରୁତ୍ୱପୁର୍ଣ୍ଣ ପଦ ପଦବୀରେ ବସି ରହିଛନ୍ତି । ଏହାର ଅର୍ଥ ନୁହେଁ, ଅପରାଧୀ ନେତାଙ୍କୁ ଘୋଡାଇବା ପାଇଁ ଉଦ୍ୟମ କରାଯାଉଛି । ରାଜନୀତିରୁ ଅପରାଧୀଙ୍କୁ ଦୁରେଇ ରଖିବାର ସମୟ ଆସିଯାଇଛି । ହେଲେ ଭାରତବର୍ଷରେ ଏହା ସମ୍ଭବ ହୋଇପାରୁଛି କି?
ଯଦି ଏଫଆଇଆର ଆଧାରରେ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତେବେ ଦେଶର ଅଧିକାଂଶ ରାଜନୈତିକ ଦଳର ନେତା ଜେଲ ଭିତରେ ଥିବେ ନଚେତ ମନ୍ତ୍ରୀ ହେବାର ଯୋଗ୍ୟତାକୁ ହରାଇ ବସିବେ । ଏହି ଯୁକ୍ତିର ଅର୍ଥ ନୁହେଁ, ମାହାଙ୍ଗାରେ ହୋଇଥିବା ଘଟଣାରେ ଯଦି ପ୍ରତାପ ଜେନାଙ୍କ ସଂପୃକ୍ତି ବାହାରେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଣୁଚିତ, ହେଲେ ମାମଲାର ଯାଂଚ ଚାଲିଥିବା ବେଳେ ଯଦି ଏଫଆଇଆରକୁ ବିଜେପି ର ଏହି ନେତ୍ରୀ ଅନ୍ତିମ ଫର୍ଦ୍ଦ ବୋଲି ଧରିନେବେ ତେବେ ଏହା ଭୁଲ ସଂକେତ ଦେବ ।
ମାହାଙ୍ଗାର ଘଟଣା ଅତ୍ୟନ୍ତ ନିର୍ମମ ଏବଂ ନିନ୍ଦନୀୟ । ପୋଲିସ ମାମଲାର ତଦନ୍ତ କରୁଛି, ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ମାନ ନିଆଯାଉଛି । ହେଲେ ଏଭଳି ସ୍ଥଳେ ବିଜେପିର ନେତ୍ରୀ ଯେମିତି ଦିଗ ଗୁଡିକ ସାମ୍ନାକୁ ଆଣୁଛନ୍ତି, ଏହା କେବଳ ରାଜନୀତିକୁ ଆଗକୁ ବଢାଇବା ପାଇଁ ଏଥିରେ କୈାଣସି ଦ୍ୱିମତ ନାହିଁ । ଯାହା ଜଣାପଡିଲାଣି, ପୋଲିସ ଆଗକୁ ଅପରାଧୀଙ୍କୁ ଧରିବା ପରେ ମଧ୍ୟ ବଜେପି ରାଜନୀତିକୁ ତେଜିବ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମୁହିମ ଆରମ୍ଭ କରିବ ଠିକ ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୁଦ୍ଧରେ ଦଳ ଯେଉଁ ଆଭିମୁଖ୍ୟ ଗ୍ରହଣ କରୁଥିଲା । ଜଣଙ୍କ ମୃତ୍ୟୁରେ ବିଜେପି ଯେଉଁ ରାଜନୀତିର ରୁଟି ସେକୁଛି, ଏହା ଲୋକଙ୍କ ମଧ୍ୟରେ ଦଳର ଗ୍ରହଣୀୟତାକୁ ସେତିକି କମାଉଛି, ଦଳୀୟ ନେତା ଏକଥାକୁ ବୁଝିବାରେ ଅସମର୍ଥ ।