ଦକ୍ଷିଣରେ ପଶିବାକୁ ‘ହାଇଦ୍ରାବାଦ’ ସାହାରା ।

ପ୍ରବଳ ଥଣ୍ଡାରେ ପୂରା ଭାରତ ଥରୁଥିବା ବେଳେ ନିର୍ବାଚନୀ ତାତିରେ ନୱାବଙ୍କ ସହର ହାଇଦ୍ରାବାଦ ଏବେ ପୂରା ଗରମ । ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ ନିର୍ବାଚନ ଏବେ ପୂରା ଦେଶର ପାରା ବଢାଇଦେଇଛି । କାରଣ ପାରମ୍ପିକ ଭାବେ ଏଥର ଆଉ ଦ୍ୱିମୁଖୀ ନୁହେଁ ବରଂ ହାଇଦ୍ରାବାଦ ଦେଖିବ ତ୍ରମୁଖୀ ଲଢେଇ । ଆଉ ଏହି ଲଢେଇରେ ବାଜି ମାରିବାକୁ ଜି ଜାନ୍ ଲଗାଇଦେଇଛି ଗେରୁଆ କ୍ୟାମ୍ପ । ହେଭିୱେଟ ଚେହେରାଙ୍କୁ ଦଳ ପ୍ରଚାର ମୈଦାନକୁ ଛାଡିଥିବା ବେଳେ ବିଜୟକୁ ପକ୍କା କରିବାକୁ ପାକିସ୍ତାନକୁ ଅସ୍ତ୍ର କରିବାକୁ ମଧ୍ୟ ପଛାଇ ନାହିଁ ପଦ୍ମ ଶିବିର । ହାଇଦ୍ରାବାଦରେ ବିଜେପିର ବଡ ଚେହେରା ଡେରା ପକାଇଥିବା ବେଳେ ବିଜୟର ବାନା ଉଡାଇବାକୁ ଦଳର ଚାଣକ୍ୟ କୁହାଯାଉଥିବା ଅମିତ ଶାହା କଷିଛନ୍ତି ଅଙ୍କ । ଦଳର ସଭାପତି ନଡ୍ଡାଙ୍କ ସହ ମିଶି ଦକ୍ଷିଣ ଦୁର୍ଗରେ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଶାହା । ତେବେ ହାଇଦ୍ରାବାଦର ମୁନିସିପାଲ ନିର୍ବାଚନକୁ ଗେରୁଆ କ୍ୟାମ୍ପ କାହିଁକି ଏତେ ଗୁରୁତ୍ୱ ଦେଉଛି ତାହା ବୁଝିବାର ନିହାତି ଆବଶ୍ୟକତା ରହୁଛି ।

ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ ନିର୍ବାଚନ ଏତେ ବଡ ନିର୍ବାଚନ ନୁହେଁ ଯେ, ଯାହାର ଫଳାଫଳ ଦେଶର ରାଜନୈତିକ ସ୍ଥିତିକୁ ଓଲଟପାଲଟ କରିଦେବ । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ବିଜେପି କାହିଁକି ଏହି ନିର୍ବାଚନକୁ ଫୋକସରେ ରଖିଛି ତାହା ଅନେକଙ୍କ ଆଗରେ ପ୍ରଶ୍ନର ପାହାଡ ଛିଡା କରିଛି । ତେବେ ଏହା ପଛର ସବୁଠୁ ବଡ କାରଣ ହେଉଛି ଦକ୍ଷିଣ ଦୁର୍ଗ । ଦେଶର ବିଭିନ୍ନ ରାଜ୍ୟରେ ପ୍ରଭାବ ବିସ୍ତାର କରି ଚାଲିଥିବା ବିଜେପି ଦକ୍ଷିଣ ଭାରତରେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବଶୂନ୍ୟ ରହିଛି । ଗତ ଦୁଇଟି ନିର୍ବାଚନରେ ମୋଦି ମ୍ୟାଜିକ ମଧ୍ୟ ଏଠାରେ କାମ କରିନାହିଁ । କେଉଁଠି କାଁ ଭାଁ କଢି କଅଁଳିଥିଲେ ମଧ୍ୟ ପଦ୍ମ ଫୁଲ ଫୁଟିନି । କିନ୍ତୁ ଏହ ନିର୍ବାଚନ ମାଧ୍ୟମରେ ଦକ୍ଷିଣ ଦୁର୍ଗକୁ ଗେରୁଆ ଗଡରେ ପରିଣତ କରିବାକୁ ସତେ ଯେପରି ପଣ କରିଛି ବିଜେପି । ଆଉ ଏହି ନିର୍ବାଚନ ମଧ୍ୟ ବିଜେପି ପାଇଁ ସେଭଳି ସୁଯୋଗ ସୃଷ୍ଟି କରିଛି । ଗୋଟିଏ ପଟେ ଶାସକ ଟିଆରଏସ ବିରୋଧରେ ସରକାର ବିରୋଧୀ ହାୱା ସୃଷ୍ଟି ହୋଇଛି ଓ ଅନ୍ୟପଟେ କଂଗ୍ରେସ ଏଠାରେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ବିଜେପି ପାଇଁ ଦକ୍ଷିଣରେ ପ୍ରଭାବ ବିସ୍ତାର କରିବାକୁ ଏହା ପ୍ରଥମ ସୁଯୋଗ ଭାବେ ଉଭା ହୋଇଛି । ସେହିଭଳି ଓୱେସୀଙ୍କୁ ମାତ୍ ଦେବାକୁ ବିଜେପି ଖେଳିଛି ପାକିସ୍ତାନ କାର୍ଡ । ଓୱେସିଙ୍କ ଦଳକୁ ଭୋଟ ଦେବା ଅର୍ଥ ପାକିସ୍ତାନର ଜିନ୍ନାଙ୍କୁ ଭୋଟ ଦେବା କଥା କହି ଦଳ ଖେଳିଛି ଜାତୀୟତାବାଦ କାର୍ଡ ।

ଅନ୍ୟପଟେ ଏହି ନିର୍ବାଚନ ପାଇଁ ବିଜେପି ଜି ଜାନ ଲଗାଇ ଦେଇଛି କାରଣ ଦକ୍ଷିଣ ଦୁର୍ଗକୁ ଭେଦ କରିବାକୁ ହେଲେ ହାଇଦ୍ରାବାଦ ନିର୍ବାଚନ ପ୍ରବେଶଦ୍ୱାର ଦେଇ ଅତିକ୍ରମ କରିବାକୁ ପଡିବ ଏକଥାକୁ ବେଶ ଭଲ ଭାବେ ବୁଝିଛନ୍ତି ବିଜେପିର ଥିଙ୍କଟ୍ୟାଙ୍କ । ଏହାଛଡା ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ ନିର୍ବାଚନରେ ଅଧିକାଂଶ ଭୋଟର ସହରାଞ୍ଚଳର । ଯେହେତୁ ସହରାଞ୍ଚଳରେ ବିଜେପିର ଭଲ ପ୍ରଦର୍ଶନ ରହିଛି ତେଣୁ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହିଁ ଗେରୁଆ କ୍ୟାମ୍ପ । ଅନ୍ୟପଟେ ଏହି କର୍ପୋରେସନ ଅଧିନରେ ୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହୁଛି ଯାହା ତେଲଙ୍ଗାନାର ମୋଟ ବିଧାନସଭା ଆସନର ୫ଭାଗରୁ ଭାଗେ । ତେଣୁ ଏହି ନିର୍ବାଚନରେ ବାଜି ମାରି ହାଇଦ୍ରାବାଦର ସହରାଞ୍ଚଳରେ ନିଜର ସ୍ଥିତି ସୁଦୃଢ କରିବାକୁ ଚାହୁଁଛି ବିଜେପି ।

ତେବେ ଏହି ନିର୍ବାଚନରେ ଟିଆରଏସ ବିରୋଧରେ ସରକାରୀ ବିରୋଧୀ ହାୱା ବହୁଥିବା ବେଳେ ଏଆଇଏମଆଇଏମ ବିଜେପିକୁ କଡା ଚ୍ୟାଲେଞ୍ଜ ଦେଇପାରେ ଠିକ୍ ବିହାର ଭଳି । ବିହାର ନିର୍ବାଚନରେ ଏକାକୀ ଓୱେସୀଙ୍କ ଦଳ ୫ଟି ଆସନରେ ବାଜି ମାରିଥିବା ବେଳେ ମୁସଲିମ୍ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା । ତେଣୁ ଏହାର ରିପିଟ୍ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ବୋଲି ଓୱେସୀ ପୂର୍ବରୁ ସଂକେତ ଦେଇସାରିଥିବା ବେଳେ ବିଜେପି ପାଇଁ ଏହା ଅଡୁଆ ସୃଷ୍ଟି କରିଛି । କାରଣ ପଶ୍ଚିମବଙ୍ଗ ଦଖଲ କରିବାକୁ ପଦ୍ମ ଶିବିର ଦୀର୍ଘ ଦିନ ହେବ ଋଣନୀତି ପ୍ରସ୍ତୁତ କରୁଛି । ତେବେ ପଶ୍ଚିମବଙ୍ଗରେ ମୁସଲିମ ଭୋଟର ସରକାର ଗଠନରେ ବଡ ଭୂମିକା ଗ୍ରହଣ କରୁଥିବାରୁ ବିଜେପି ପାଇଁ ବଙ୍ଗ ଗଡ ଦଖଲ କରିବା ସହଜ ହୋଇନପାରେ । ତେଣୁ ଏଭଳି ସ୍ଥିତିରେ ହାଇଦ୍ରାବାଦରେ ଓୱେସୀଙ୍କୁ ମାତ୍ ଦେଇ ମୁସଲିମ ଭୋଟର ଗେରୁଆ କ୍ୟାମ୍ପ ସହ ଅଛନ୍ତି ବୋଲି ସନ୍ଦେଶ ଦେବାକୁ ଚାହୁଁଛି ବିଜେପି । ଯାହାଦ୍ୱାରା ବଙ୍ଗ ଦଖଲ ଅଭିଯାନ ମଧ୍ୟ ବିଜେପି ପାଇଁ ସହଜ ହୋଇଯିବ । ସେହିଭଳି ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ହାଇଦ୍ରାବାଦ ନିର୍ବାଚନରେ ବିଜୟୀ ହେବା ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଯାହା ସଂକେତ ଦେବ କି କେବଳ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ନୁହେଁ ଦକ୍ଷିଣ ଭାରତର ଲୋକ ମଧ୍ୟ ଗେରୁଆ କ୍ୟାମ୍ପ ସହ ରହିଛନ୍ତି ।

ବିଜେପି ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ବୋଲି ଦଳ ପ୍ରଥମରୁ କହି ଆସିଛି । ତେବେ ଏହି ନିର୍ବାଚନ ପ୍ରଚାଚରେ ମୋଦି ସରକାରର ନମ୍ବର ଦୁଇ ନେତା କୁହାଯାଉଥିବା ଅମିତ ଶାହା ସାମିଲ ହୋଇଥିଲେ ମଧ୍ୟ ଖୋଦ୍ ପ୍ରଧାନମନ୍ତ୍ରୀ ସାମିଲ ହୋଇନାହାନ୍ତି । କାରଣ ଯଦି ଏହି ନିର୍ବାଚନରେ ଦଳ ଫେଲ୍ ମାରେ ତେବେ ମୋଦିଙ୍କ ଭାବମୂର୍ତ୍ତି ଉପରେ କେହି ପ୍ରଶ୍ନ ଚିହ୍ନ ଲଗାଇ ପାରିବେ ନାହିଁ । କିନ୍ତୁ ଥରେ ମୋଦିଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଚିହ୍ନ ଲାଗିବା, ବିଜେପିର ପୂରା ଦେଶରେ ପଦ୍ମ ଫୁଟାଇବା ସ୍ୱପ୍ନକୁ ଧୂଳିସାତ୍ କରିପାରେ । ତେଣୁ ଏହି ନିର୍ବାଚନରେ ମୋଦିଙ୍କୁ ମୈଦାନକୁ ନ ଓହ୍ଲାଇ ଖୋଦ୍ ବିଜେପିର ଚାଣକ୍ୟ ଅମିତ ଶାହା ନିଜର ଫାୟାର ବ୍ରିଗେଡ ଯୋଦ୍ଧା ଯୋଗୀ ଆଦିତ୍ୟନାଥ, ସମ୍ବିତ ପାତ୍ର, ସ୍ମୃତି ଇରାନୀଙ୍କୁ ନେଇ ମୈଦାନକୁ ଓହ୍ଲାଇଛନ୍ତି ।

Comments (0)
Add Comment