ବିଜେପି ନେତାଙ୍କ ‘ଅର୍ଗସ୍’ ପ୍ରଚାର ?

ରାଜ୍ୟରେ ଆରମ୍ଭ ହେଲା ନୁଆ ଚ୍ୟାନେଲ । ହେଲେ ସାମ୍ବାଦିକ ମାନେ ଯେତିକି ଖୁସି ହେବା କଥା ତାଠାରୁ ଅଧିକ ଖୁସି ବିଜେପି ନେତାମାନେ ହୋଇଛନ୍ତି । ଏହାର କାରଣ ମଧ୍ୟ କାହାକୁ ଅଛପା ନାହିଁ । ମିଡିଆରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିି ଜାଣିଛନ୍ତି ଅର୍ଗସ୍ ସାଟେଲାଇଟ ଦୁନିଆରେ ପାଦ ଥାପିବା ପଛରେ କାହାର ହାତ ରହିଛି । ଚର୍ଚ୍ଚା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ପ୍ରଛଦ ପଟ୍ଟରେ ରହିଛନ୍ତି । ଅର୍ଗସର ଲଂଚିଙ୍ଗ ଇଭେଣ୍ଟରେ ଯେତେବେଳେ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନଙ୍କୁ ଦେଖିବାକୁ ମିଳିଲା ସେତେବେଳେ ଏହି ଧାରଣା ଆହୁରି ଦୃଢୀଭୁତ ହୋଇଥିଲା । ଅର୍ଥାତ୍ ନିରପେକ୍ଷ ଆଉ ନିଛକ ସତର ଦ୍ୱାହି ଦେଇ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଯେ ବାସ୍ତବିକତାରେ ବିଜେପି ଏଜେଣ୍ଡାରେ ଚାଲିବ ଏଥିରେ ଆଉ କୈାଣସି ସନ୍ଦେହ ନାହିଁ । ବ୍ୟାପିନି ପ୍ରତିନିଧି ଲଗାତର ଭାବେ ଏହି ପ୍ଲାଟଫର୍ମ ଉପରେ ନଜର ରଖି ଆସୁଛନ୍ତି । ଆମ ପ୍ରତିନିଧି ଜାଣିବାକୁ ଚେଷ୍ଟା କରୁଥିଲେ, ଏହି ସଂସ୍ଥାର ଖବର ଉପସ୍ଥାପନର ମାଧ୍ୟମ ଆଉ ରାସ୍ତା ଗୁଡିକ କିଭଳି ଥିଲା । ସେମିତିରେ ବି ଡିଜିଟାଲ ପ୍ଲାଟଫର୍ମରେ ଯେତେବେଳେ ଏହା ସୀମିତ ଥିଲା ଠିକ ସେତିକିବେଳେ ରାଜ୍ୟ ସରକାରଙ୍କ ପଛରେ ହାତ ଧୋଇ ପଡିଥିବାର କଥା ଚର୍ଚ୍ଚା ହେଉଥିଲା । ଏପରିକି ଏକପାଖିଆ ଖବର ପରିବେଷଣ କରିବାରେ ଏହି ଚ୍ୟାନେଲ ମାହିର ଥିବା ମତ ରଖୁଥିଲେ ଗଣମାଧ୍ୟମରେ ରୁଚି ରଖୁଥିବା ବ୍ୟକ୍ତିମାନେ ।

ଗତ ୪୮ ଘଂଟା ଭିତରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଲଗାତର ଭାବେ ଅର୍ଗସର ଉଦଘାଟନ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଥିଲେ । ଆଉ ଏଥିରୁ ଅନୁମାନ କରନ୍ତୁ, ଆଗାମୀ ଦିନରେ ଅର୍ଗସ୍ କାହାର ମୁଖପତ୍ର ଭାବେ କାମ କରିପାରେ । ସେହିଭଳି ଗୋଟିଏ ଚ୍ୟାନେଲର ଉଦଘାଟନକୁ ନେଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାମାନେ ଖୁସି ଜାହିର କରିବା କିଛି ନୁଆ କଥା ନୁହେଁ । ପୁର୍ବରୁ ଅନ୍ୟ ଏକ ଚ୍ୟାନେଲ ନନ୍ଦିଘୋଷର ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ଶାସକ ଦଳର ନେତା, ମନ୍ତ୍ରୀ ବହୁତ ଖୁସି ବ୍ୟକ୍ତ କରିଥିଲେ । ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡିଥିଲା ଶାସକ ଦଳର ପୃଷ୍ଠପୋଷକତାରେ ଏହି ସଂସ୍ଥା ଆଗେଇ ଚାଲିଥିଲା । ସେହିଭଳି ଅର୍ଗସକୁ ନେଇ ବିଜେପି ନେତାଙ୍କ ଖୁସି ଜାହିର କରିବା ପ୍ରମାଣିତ କରୁଛି, ଅର୍ଗସ୍ ଆଗାମୀ ଦିନରେ ବିଜେପି ଏଜେଣ୍ଡାରେ କାର୍ଯ୍ୟ କରିପାରେ ।

ଆଗାମୀ ଦିନରେ ରାଜ୍ୟରେ ଟିଭି ଦୁନିଆରେ ହୁଏତ ଏକ ବଡ ଲଢେଇ ଦେଖୀବାକୁ ମିଳିପାରେ ହେଲେ ଏହା ରାଜ୍ୟ ସ୍ତରର ବିଜେପିର ଦୁଇ ବଡ ନେତାଙ୍କ ମଧ୍ୟରେ ଏକ ବିବାଦ ମଧ୍ୟ ତିଆରି କରିବ । ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ରାଷ୍ଟ୍ରୀୟ ଉପସଭାପତିଙ୍କ ମଧ୍ୟରେ ରେସ୍ ଚାଲିବ, କିଏ ବିଜେପିର ଖବରକୁ ଅଧିକରୁ ଅଧିକ ଦେଖାଇପାରି ଦିଲ୍ଲୀ ନେତୃତ୍ୱଙ୍କ ନିକଟତର ହେଉଛି । କାରଣ ଉଭୟ ପକ୍ଷ ବେଶ ଭଲଭାବେ ଜାଣିଛନ୍ତି ଚ୍ୟାନେଲ ହିଁ ସେମାନଙ୍କୁ ରାଜନୀତିରେ ଆଗକୁ ବଢିବାରେ ବେସ ସାହାଯ୍ୟ କରିବ । ଦଳ ସପକ୍ଷରେ ହାୱା ତିଆରି କରିବାରେ ଯିଏ ଅଧିକ ସମର୍ଥ ହେବ, ସିଏ ହିଁ ନିଜ ପକ୍ଷକୁ ଆହୁରି ମଜଭୁତ କରିବ । ତେଣୁ ସାଧାରଣ ଲୋକଙ୍କ ସ୍ୱର ସାଜି ଯେ ଏହି ସଂସ୍ଥା ନିରପେକ୍ଷତରା ସହ କାର୍ଯ୍ୟ କରିବ ତାହା ଉପରେ ଏକ ବଡ ସନ୍ଦେହ ରହିଛି ।

ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହେବା ଏବଂ ଅନେକ ବିଜେପି ନେତା ଏହା ପଛରେ ରହି କାର୍ଯ୍ୟ କରିବା ମଧ୍ୟ ଏକ ବଡ ସଂକେତ । ସାଟେଇଲାଇଟ ହେବା ପରେ ଟିଭି ପରଦାରେ ଖବର କେଉଁଭଳି ଉପସ୍ଥାପନ କରାଯାଉଛି, ତାକୁ ଦେଖୀବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ, ନିରପେକ୍ଷତାର ସହ କାର୍ଯ୍ୟ ହେଉଛି ନା ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି ।

Comments (0)
Add Comment