ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ । ଭୁବନେଶ୍ୱର ଯାଉଥିବା ବେଳେ ଗିରଫ କରିଛି ଦେବଗଡ଼ ପୁୁଲିସର ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଦେବଗଡ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣି ବ୍ଲକ ଭାଲିଆଗୁଡି ଗାଁରେ ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ ବିଡିଓ ପୁଷ୍ପଚନ୍ଦ୍ର ଦଳପତି । ଏନେଇ ବିଡିଓ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଭାଲିଆଗୁଡ଼ି ଗାଁରେ ଥିବା ବେଳେ ଦିନ ସାଢ଼େ ୧୦ଟାରୁ ୧୨ ମଧ୍ୟରେ ତିନୋଟି ନମ୍ବରରୁ ତାଙ୍କ ମୋବାଇଲ୍ ଫୋନ୍କୁ କଲ୍ ଆସିଥିଲା। ତାଙ୍କୁ ବିଧାୟକ ଦେଖା କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା। ତେବେ ସେ କାମ ସାରି ବିଧାୟକଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। କିନ୍ତୁ କିଛି ସମୟ ପରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କର କିଛି ସହଯୋଗୀଙ୍କ ସହିତ ଭାଲିଆଗୁଡ଼ି ଗାଁରେ ପହଞ୍ଚିଥିଲେ। ସେମାନେ ସେଠାରେ ବିଡିଓଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ବିଧା, ଗୋଇଠା ଓ ମୁଥା ଆଦି ମାରିଥିଲେ। ତା’ ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କୁ ବଳପୂର୍ବକ ବିଧାୟକଙ୍କ ଗାଡ଼ିରେ ବସାଇବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।ଗତକାଲି ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଦେବଗଡ଼ ଥାନାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ କରିଥିଲେ। ବିଧାୟକ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ଏବଂ କର୍ମୀ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ତାଙ୍କ ଏତଲାରେ ଦର୍ଶାଇଥିଲେ।