ବାଚସ୍ପତିଙ୍କୁ ଚପଲ ମାରି, ବିଜେପି ଦେଖାଉଛି କି ବାହାଦୂରି ?

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା । ପୂର୍ବରୁ ବାଚସ୍ପତିଙ୍କ ଉପରକୁ କାଗଜ, କଲମ ଫିଙ୍ଗା ଯିବାର ନଜିର ରହିଥିଲା । କିନ୍ତୁ ଗଣତନ୍ତ୍ରର ମନ୍ଦିରରେ ଆଜି ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା ତାହା ବୋଧହୁଏ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଲାଗୁଥିଲା ସତେ ଯେପରି ଗଣତନ୍ତ୍ରର ମନ୍ଦିରରେ ଗୁଣ୍ଡାଗିରି କରିବାକୁ ଓହ୍ଲାଇ ଆସିଛନ୍ତି ଗେରୁଆ ଦଳର କିଛି ବିଧାୟକ । ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗି ପଦ୍ମ ଦଳର ବିଧାୟକ ଯେଉଁ ଖରାପ ପରମ୍ପରା ସୃଷ୍ଟି କଲେ ତାହା ବିଧାନସଭାର ଗାରିମାକୁ କ୍ଷୂର୍ଣ୍ଣ କରିଛି ନିଶ୍ଚୟ । ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗି କଣ ପ୍ରମାଣିତ କରିବାକୁ ଚାହୁଁଛି ବିରୋଧୀ ବିଜେପି, ଏଭଳି ପ୍ରଶ୍ନ ଏବେ ଉଠିଛି । ଏହା କଣ ବିଜେପି ପାଇଁ ସୁସ୍ଥ ଗଣତନ୍ତ୍ରର ପରିଚୟ, ଯେଉଁଠି ଦଳୀୟ ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବେ ଆଉ ଗୃହ ବାହାରେ ଏହି ଘଟଣା ପାଇଁ ଅନୁଶୋଚନା କରିବା ବଦଳରେ ମୁହଁତୋଡ ଦେଖାଇବେ । ବିଧାନସଭାର ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଏଭଳି ଆଚରଣ କେତେଦୂର ଗ୍ରହଣୀୟ, ଯେତେବେଳେ ଦଳର ଶୀର୍ଷ ନେତୃତ୍ୱ ହିଂସା ରାଜନୀତିକୁ ପ୍ରଶୟ ଦେଉନଥିବା କହି ଡିଣ୍ଡିମ ପିଟୁଛନ୍ତି । ନା ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସାର ମାହୋଲ ବିଧାନସଭାରୁ ଆରମ୍ଭ କରିବାକୁ ଚାହୁଁଛି ବିଜେପି । ଏଭଳି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଟିଏ ମନରେ ଉଙ୍କି ମାରୁଛି ।

ବିଜେପି ନେତାଙ୍କ ଏଭଳି ଆଚରଣ କିଛି ନୂଆ କଥା ନୁହେଁ । ରାଜ୍ୟ ବିଧାନସଭାରେ ହୁଏତ ଏଭଳି ଘଟଣା ନୂଆ ହୋଇଥାଇପାରେ, କିନ୍ତୁ ବିଜେପି ନେତାଙ୍କ ଏଭଳି ଆଭିମୁଖ୍ୟ ପୂର୍ବରୁ ମଧ୍ୟ ଦେଖିଛନ୍ତି ଲୋକେ । ବିଧାନସଭାର ସର୍ବୋଚ୍ଚ ପଦରେ ବସିଥିବା ବାଚସ୍ପତିଙ୍କୁ ଚପଲ ଫିଙ୍ଗି ମୁହଁତୋଡ ଦେଖାଉଥିବା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗିରି ଅନେକ ଥର ଦେଖିବାକୁ ମିଳିଛି । ପୋଲିସ ଅଧିକାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ନେତାଙ୍କ ପାଇଁ ବାଚସ୍ପତିଙ୍କୁ ଚପଲ ପକାଇବା ବୋଧହୁଏ ସେତେଟା ବଡ ଘଟଣା ନୁହେଁ । ନଚେତ ଯାହା କରିଛି ଠିକ୍ କରିଛି ବୋଲି କହି କିଏ ବା ମୁହଁତୋଡ ମାରନ୍ତା । ସେହିଭଳି ବାଚସ୍ପତିଙ୍କୁ କେବଳ ଚପଲ ଫିଙ୍ଗିବା ନୁହେଁ ଆହୁରି ଅଧିକ କିଛି କରିବାର ଥିଲା ବୋଲି କହି ବିଷ୍ଣୁ ମଧ୍ୟ ହିଂସା ରାଜନୀତିକୁ ପ୍ରଶୟ ଦେଉଥିବା ଇଙ୍ଗିତ କରିଛନ୍ତି । ବାଚସ୍ପତିଙ୍କ ଉପରକୁ ମାଇକ ଫୋପାଡିଥିବା ନେଇ ମୁହଁରେ ମାନୁଥିବା ମୋହନ ମାଝୀ ଗଣମାଧ୍ୟମ ଆଗରେ ଯେଉଁଭଳି ବାହାଦୂରି ମାରୁଥିଲେ ଲାଗୁଥିଲା ଓଡ଼ିଶା ରାଜନୀତିରେ ହିଂସାର ଟ୍ରେଣ୍ଡ ତିଆରି କରିବାକୁ ପ୍ରସ୍ତୁତ ହେଲାଣି ବିଜେପି ।

ବିଜେପିର ପକ୍ଷରୁ ଏଭଳି ହିଂସାର ଟ୍ରେଣ୍ଡ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି । ଆଉ ଏହାର ସଦ୍ୟ ଉଦାହରଣ ହେଉଛି ବିହାର ବିଧାନସଭା । ଯେଉଁଠି ମେଣ୍ଟ ସରକାରରେ ବିଜେପି ରହିଛି, କିନ୍ତୁ ଯେତେବେଳେ ବିରୋଧୀ ଆରଜେଡି ବିଧାୟକଙ୍କୁ ବିଧାନସଭାରୁ ଘୋଷାଡି ଘୋଷାଡି ବାହାରକୁ ଅଣାଯାଉଥିଲା ସେତେବେଳେ ମୁହଁ ଖୋଲିନଥିଲା ବିଜେପି । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ବରଂ ଏହାକୁ ଦଳର କିଛି ବିଧାୟକ ସମର୍ଥନ କରିଥିଲେ । ଯାହା ଦର୍ଶାଉଥିଲା ହିଂସା ରାଜନୀତିକୁ ପ୍ରଶୟ ଦେବାରେ ଯେପରି ଆଦୌ ପଛଘୁଞ୍ଚା ଦେଉନାହିଁ ବିଜେପି ।

ଯେତେବେଳେ ହିଂସା ରାଜନୀତିକୁ ନେଇ ବିଜେପିର ଚାଣକ୍ୟ ପଶ୍ଚିମବଙ୍ଗରେ ମମତାଙ୍କୁ ଟାର୍ଗେଟ କରୁଛନ୍ତି ସେତେବେଳେ ଓଡ଼ିଶାରେ ବାଚସ୍ପତିଙ୍କ ପ୍ରତି ବିଜେପି ବିଧାୟକଙ୍କ ଆଚରଣ ଦଳର ଦୋମୁହାଁ ଆଭିମୁଖ୍ୟକୁ ପଦାରେ ପକାଉଛି । ଗଣତନ୍ତ୍ରର ଗାରିମାକୁ ନଷ୍ଟ କରି କଳଙ୍କିତ ପରମ୍ପରା ସୃଷ୍ଟି କରିଥିବା ବିଜେପି ନେତା ଏହି ନୀତି ଆଦର୍ଶ ଦଳର ନୂଆପିଢୀର ନେତା ମାନେ ଶିଖିବା ଆବଶ୍ୟକ ବୋଲି ଆହ୍ୱାନ ଦେଉଛନ୍ତି । ଏଭଳି ବେପରୁଆ ବୟାନ ଦେଉଥିବା ନେତାଙ୍କ ମନରେ ନା ଅନୁଶୋଚନା ରହିଛି ନା କାର୍ଯ୍ୟାନୁଷ୍ଠାନକୁ ଭୟ । ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଅନ୍ତୁ କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟାଇବୁ ବୋଲି ଇଙ୍ଗିତ କରିଛନ୍ତି ବିଜେପି ନେତା । ତେବେ ପ୍ରଶ୍ନ ଉଠୁଛି ଯୁବଗୋଷ୍ଠୀଙ୍କୁ ନୀତି,ଆଦର୍ଶ ଓ ଅହିଂସାର ପାଠ ପଢାଉଥିବା ଗେରୁଆ ଦଳ କଣ ହିଂସା ରାଜନୀତିର ପରମ୍ପରାକୁ ନେଇ ଓଡ଼ିଶାରେ ଆଗକୁ ବଢିବାକୁ ଚାହୁଁଛି । ଅହିଂସା ନାରାକୁ ସ୍ଲୋଗାନ ଭିତରେ ସୀମିତ ରଖି ହିଂସା ରାଜନୀତିରେ ବିଶ୍ୱାସ କରୁଛି କି ବିଜେପି । ମନରେ ଏଭଳି ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ । କାରଣ ଗଣତନ୍ତ୍ରର ଗାରିମାକୁ କ୍ଷୂର୍ଣ୍ଣ କରିବାକୁ ସବୁ ଲକ୍ଷ୍ମଣରେଖା ପାର କରିଛନ୍ତି ବିଜେପି ସଦସ୍ୟ । ଆଉ ସବୁ ଜାଣିଶୁଣି ମଧ୍ୟ ଦଳ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛି । ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ ୩ ଜଣଙ୍କୁ ଚଳିତ ଅଧିବେଶନରୁ ସସପେଣ୍ଡ କରାଯାଇଛି ସତ କିନ୍ତୁ ତାହା ଆଗାମୀ ପିଢୀ ଉପରେ ସେତେଟା ପ୍ରଭାବ ପକାଇବନି । ତେଣୁ ଏମିତି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି, ଯାହା ପରବର୍ତ୍ତୀ ପିଢୀକୁ ସବୁବେଳେ ବାଚସ୍ପତି ପଦର ଗାରିମାକୁ ମନେ ପକାଇ ଦେଉଥିବ । ତେବେ ବିଧାନସଭାରେ ଆଜି ଯେଉଁ ଘଟଣା ଘଟିଲା ତାହା ବୋଧହୁଏ ଅତୀତରେ କେବେ ହୋଇନଥିବ ଓ ଆଗକୁ ଏହାର ପୁନରାବୃତ୍ତି ନହେଉ ବୋଲି ଆମେ ଅନ୍ତତଃ ପକ୍ଷେ ଆଶା ରଖିବା ।

Comments (0)
Add Comment