ପଶ୍ଚିମବଙ୍ଗରେ ଚରମ ସୀମାରେ ପହଞ୍ଚିଛି ରାଜନୀତି ତାତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗ ଘଟଣାରେ ନିର୍ବାଚନ କମିସନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି । ଶୁକ୍ରବାର ସୁଦ୍ଧା ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ବାଚନ କମିସନ୍ ପଶ୍ଚିମବଙ୍ଗ ପ୍ରଶାସନକୁ କହିଛି। ସେପଟେ ବିଜେପି କହିଛି, ଆକ୍ରମଣ ନେଇ ମିଛ କହୁଛନ୍ତି ମମତା ।
ସହାନୁଭୂତି ପାଇବା ଆଶାରେ ମମତା ଡ୍ରାମା କରୁଛନ୍ତି ବୋଲି କହିଛି ବିଜେପି । ନନ୍ଦୀଗ୍ରାମ ଅନ୍ତର୍ଗତ ବିରୁଲିଆ ବଜାର ମଧ୍ୟସ୍ଥ ରାସ୍ତାରେ ବିଜେପି କର୍ମୀମାନେ ପୁରୁଣା ଟାୟାର୍ ପୋଡ଼ି କହୁଛନ୍ତି କି, ମମତା ବାନାର୍ଜୀଙ୍କୁ କେହି ଆକ୍ରମଣ କରି ନାହାନ୍ତି। ସେ ଆକ୍ରମଣ ବାବଦରେ ମିଛ କହୁଛନ୍ତି। ମମତାଙ୍କୁ କେହି ଧକ୍କା ମାରି ନାହାନ୍ତି, ସେ ମିଛ କହୁଛନ୍ତି। ତାଙ୍କ ଗାଡ଼ିର ଡୋର୍ ମେଲା ଥିବାରୁ ଗୋଟାଏ ଖୁଣ୍ଟରେ ବାଜି ତାଙ୍କ ଉପରେ ପିଟି ହୋଇଯାଇଛି।
ସେପଟେ ମମତାଙ୍କୁ ଆକ୍ରମଣ ଯୋଗୁ ଟିଏମ୍ସି ଦଳୀୟ ଇସ୍ତାହାର ଉନ୍ମୋଚନ ସ୍ଥଗିତ କରିଛି । ଆଜି ଦଳ ପକ୍ଷରୁ ମେନିଫେଷ୍ଟୋ ରିଲିଜ୍ ହେବାର କାର୍ୟ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ମମତା ଅସୁସ୍ଥ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି ।