‘ସବୁରି ମୂଳରେ ବାଚସ୍ପତି’

ଶନିବାର ଦିନ ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା,ସେଥିପାଇଁ ବାଚସ୍ପତି ଦାୟୀ । ବିଧାନସଭା ପରିସରରେ ରାତି ତମାମ ବସିବା ପରେ ଧାରଣାରୁ ଓହରି ବିଜେପି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରି ଗୃହରେ ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି । ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ପ୍ରଦୀପ୍ତ ନାଏକ କହିଛନ୍ତି ଯେ ବିଧେୟକ ପାରିତ ହେବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ ମୋର କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇଲେ ନାହିଁ । ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ବାଚସ୍ପତି ଶୁଣିଲେନି । ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା । ବିନା ଦୋଷରେ ଆମେ ଦଣ୍ଡିତ ହେଇଛୁ ।

ବିରୋଧୀଙ୍କ କଥା ଶୁଣିବାକୁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ବାଧ୍ୟ କିନ୍ତୁ ବିଧାନସଭାରେ ତାହାର ବ୍ୟତିକ୍ରମ ହେଉଛି । ବିଧାନସଭା ଯେମିତି ନ ଚାଲୁ ତାହା ଚାହୁୁଁଛନ୍ତି ଶାସକ ଦଳ, କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ବଦନାମ ହେବାର ଭୟ ଥିବାରୁ ଏଭଳି କରୁଛନ୍ତି । ତେଣୁ ପାରିତ ହୋଇଥିବା ବିଲ୍ ବାବଦରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବୁ । ଏପରିକି ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିବାରୁ ଏହାକୁ ମଞ୍ଜୁରୀ ନ ଦେବାକୁ କହିବୁ ବୋଲି କହିଛନ୍ତି ପ୍ରଦୀପ୍ତ । ଜୟନାରାୟଣ ମିଶ୍ର କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବୁ। ପାରିତ ବିଲକୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ ବି କରିବୁ। ବିରୋଧୀଙ୍କୁ ବିଶୃଙ୍ଖଳିତ ହେବାକୁ ବାଧ୍ୟ କରୁଛନ୍ତି ବାଚସ୍ପତି ବୋଲି କହିଲେ ଜୟନାରାୟଣ।

Comments (0)
Add Comment