ପରୀ ମୃତ୍ୟୁ ମାମଲାର ଏସଆଇଟି ପର୍ଦ୍ଦାଫାଶ କରି ଅପରାଧୀକୁ ଗିରଫ କରିବାକୁ ସଜବାଜ ହେଉଥିବା ବେଳେ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଦଯାତ୍ରା କରିବା ଜିଦରେ ଅଟଳ ରହିଛି ରାଜ୍ୟ ବିଜେପି । ରାଜନୀତିକୁ ନେଇ ଆମେ ଉଠାଇଥିବା ପ୍ରଶ୍ନ ପରେ ରାଜ୍ୟ ବିଜେପି ତାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଦଳ କହିଛି, ଆସନ୍ତା ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ନୟାଗଡ ଯଦୁପୁର ଅର୍ଥାତ୍ ପରୀ ଗାଁକୁ ୧୦୦ କିମି ପଦଯାତ୍ରା କରିବ ଦଳ । ହେଲେ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ରାଜ୍ୟ ବିଜେପି କାହିଁକି ଗୋଟିଏ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ଚାହୁଁଛି?
ବିଜେପିର ଦାବି ଥିଲା ପରୀକୁ ନ୍ୟାୟ ମିଳୁ । ଆଉ ଯେତେବେଳେ ପରୀ ମାମଲାରେ ତଦନ୍ତ କରି ଅପରାଧୀ ଧରା ପଡିବା ଉପରେ ସେତେବେଳେ ରାଜ୍ୟ ବିଜେପି ନିଜର ଆଭିମୁଖ୍ୟ ବଦଳାଉଛି । ଟିକ ରାଜନୀତିରେ ନେତା ଦଳ ପରିବର୍ତ୍ତନ କଲା ଭଳି ପରୀ ପ୍ରସଙ୍ଗରେ ବିଜେପି ତାର ନିଜର ଷ୍ଟାଣ୍ଡ ବଦଳାଇ ରାଜନୀତି କରିବାକୁ ଆଗଭର ହୋଇଛି । ବିଜେପି କ୍ୟାମ୍ପରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାନେତ୍ରୀ ବି. ଶ୍ରୀନିବାସନ ଏଥିରେ ସାମିଲ ହେବେ । ରାଷ୍ଟ୍ରୀୟ ମୁଖପାତ୍ର ସାମ୍ବିତ ପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମି ହେବେ । ସହିଭଳି ରାଜ୍ୟ ବିଜେପିର ତୁଙ୍ଗ ନେତା ଏବଂ ଅନ୍ୟ ସମର୍ଥକ ମଧ୍ୟ ଏହି ପଦଯାତ୍ରାରେ ଯୋଗଦେବେ ବୋଲି ଜଣାପଡିଛି ।
ବିଜେପି ପକ୍ଷରୁ କୁହାଯାଇଛି, ଏସଆଇଟି ଏକ କୁହେଲିକା । ମୂଳରୁ ଦଳ ସନ୍ଦେହ କରିଥିଲା ଏସଆଇଟି ତଦନ୍ତ ନାମରେ ଅପରାଧୀ ଓ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଘଣ୍ଟ ଘୋଡେଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ହାଇକୋର୍ଟକୁ ଦିଆଯାଇଥିବା ରିପୋର୍ଟ କେମିତି ବାହାରକୁ ଆସିଲା ବୋଲି ଦଳ ପ୍ରଶ୍ନ କରିଛି । ସରକାର ପ୍ରକୃତ ଦୋଷୀଙ୍କୁ ଦଣ୍ଡ ନଦେବା ଯାଏଁ ବିଜେପି ତାର ବିରୋଧ ଜାରି ରଖିବ । ୧୪୭ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଜାରି ରହିଛି । ଆସନ୍ତା ୨୦ରୁ ମହାପଦଯାତ୍ରା ଆୟୋଜିତ ହେବ । ୨୦ରୁ ଭୁବନେଶ୍ୱରରୁ ପଦଯାତ୍ରା ଆରମ୍ଭ ହେଇ ୨୪ରେ ପରୀର ଗାଁ ନୟାଗଡ଼ ଜିଲ୍ଲାର ଯଦୁପୁରରେ ପହଞ୍ଚିବ ।
ରାଜ୍ୟ ବିଜେପିକୁ ଆମେ କିଛି ପ୍ରଶ୍ନ କରିବାକୁ ଚାହିିଁବୁ
- କାହିଁକି ପରୀ ମାମଲାରେ ଦଳ ରାଜନୀତି କରୁଛି?
- ଅପରାଧୀ ଧରା ପଡୁ ବୋଲି କଣ ଦଳ ଚାହୁଁନଥିଲା?
- ପରୀ ମାମଲାରେ ଅରୁଣ ସାହୁଙ୍କୁ ଦଳ ଟାର୍ଗେଟ କରୁଛି କି?
- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦଯାତ୍ରାରେ ସାମିଲ ହେବେ କି?
- ଅରୁଣ ସାହୁଙ୍କ ଉପରେ ଧର୍ମେନ୍ଦ୍ରଙ୍କ ପୁରୁଣା ରାଗକୁ ସୁଝାଉଛି କି ଦଳ?
ଗୋଟିଏ ରାଜନୈତିକ ଦଳ ଭାବେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ଏବଂ ପ୍ରତିବାଦ କରିବାର ଅଧିକାର ସେମାନଙ୍କର ହିଛି । ହେଲେ ଗୋଟିଏ ନାବାଳିକା ସହ ହୋଇଥିବା ଅତ୍ୟାଚାରକୁ ଆଧାର କରି ରାଜନୈତିକ ରୁଟି ସେକିବା କାହିଁକି କେଜାଣି ଶୋଭନୀୟ ହୋଇପାରୁ ନାହିଁ ।