ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଧାନ କିଣା ମାମଲାରେ ବିଜେପି ବିଧାୟକ କରିଥିବା ଆତ୍ମହତ୍ୟା ଉଦ୍ୟମ ମାମଲା ବେଳକୁ ବେଳ ସାଂଘାତିକ ରୁପ ଧାରଣ କରିଛି । ବିଜେଡି ବିଧାୟକ ରାଜଭବନ ପର୍ଯ୍ୟନ୍ତ ଯାତ୍ରା କରି ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ବିଧାୟକ ମଧ୍ୟ ଅଭିନବ ପ୍ରତିବାଦ କରିବାକୁ ଘୋଷଣା କରିଛନ୍ତି । ଲଂଠନ ଧରି ନବୀନ ନିବାସ ପର୍ଯ୍ୟନ୍ତ ଯିବେ ବିଜେପି ବିଧାୟକ । ପ୍ରତିବାଦର ରାସ୍ତା ଅଲଗା ହୋଇପାରେ ହେଲେ ରାଜନୀତି ଯେ ଏହା ପଛର ଏକମାତ୍ର ଉଦ୍ଦେଶ୍ୟ ଏଥିରେ ସନ୍ଦେହ ନାହିଁ । ଲଂଠନ ଧରି ଯାତ୍ରା କରିଦେଲେ ଯେ ଚାଷୀ ସମସ୍ୟାର ସମାଧାନ ହୋଇଯାଆନ୍ତା, ତେବେ ଦେଶର ସମସ୍ତ ଚାଷୀ ଲଂଠନ ଧରି ରାସ୍ତାକୁ ପ୍ରତିବାଦ କରିବାକୁ ଚାଲିଆସନ୍ତେ ।
ବିଜେପି ବିଧାୟକଙ୍କୁ ଆମର ଛୋଟିଆ ଅନୁରୋଧ ରହିବ । ଯଦି ଚାଷୀ ପ୍ରସଙ୍ଗ ସେମାନଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି, ତେବେ ଖାଲି ନବୀନ ନିବାସ ଯାଏଁ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯାଏଁ ଲଂଠନ ମାର୍ଚ୍ଚ କରାଯାଉ । କାରଣ ଶହେ ଦିନରୁ ଅଧିକ ଦିନ ହେଲାଣି ଦେଶରେ ଚାଷୀ ଆନ୍ଦୋଳନ ଚାଲିଛି । କେନ୍ଦ୍ର ସରକାର ଆଣୀଥିବା ତିନୋଟି ନୁଆ ଆଇନର ପ୍ରତିବାଦରେ ଚାଷୀ ରାସ୍ତାରେ ବସୁଛନ୍ତି । କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛନ୍ତି । ତେଣୁ ଦିଲ୍ଲୀରେ ବାସିଥିବା ଚାଷୀଙ୍କ ସମସ୍ୟା ପ୍ରତି ମଧ୍ୟ ବିଜେପି ବିଧାୟକ ସଚେତନ ହେବା ଦରକାର । ନଚେତ ରାଜନୀତି ଏକପାଖିଅ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବଡ କଥା ହେଉଛି, ଦେଶରେ ଚାଲିଥିବା ଆନ୍ଦୋଳନ ମଧ୍ୟ ଚାଷୀ ସମସ୍ୟା ସଂପର୍କିତ । ଯେଉଁ ବ୍ୟବସ୍ଥାକୁ ବିଜେପି ସରକାର ଉଛେଦ କରିଛି ସାରା ଦେଶରେ, ସେହି ବ୍ୟବସ୍ଥା ଓଡିଶାରେ କାହିଁକି ପ୍ରଚଳିତ ହେଉନାହିଁ ତାକୁ ନେଇ ବିଜେପି ସଦସ୍ୟ ଆନ୍ଦୋଳନ କରିବା ହାସ୍ୟାସ୍ପଦ କଥା ।
ଯଦି ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ବିଜେପି ସତରେ ଚିନ୍ତିତ, ତେବେ ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଦୁଇ ଓଡିଆ ସଦସ୍ୟ ବକେୟା ପଡିଥିବା ଟଙ୍କା କେମିତି ଦିଲ୍ଲୀ ଶୀଘ୍ର ପଠାଇବ ତାର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଉନାହାନ୍ତି । ଧାନ କିଣା ବାବଦ ଟଙ୍କା କେନ୍ଦ୍ର ପଠାଉନଥିବାରୁ ରାଜ୍ୟ କଣ ସ୍ଥିତି ଦେଇ ଗତି କରୁଛି ତାର ବାସ୍ତବତା କେଉଁ ବିଜେପି ନେତା ବୁଝିଛନ୍ତି କି । ଆଜିର ଦିନରେ ଧାନ କିଣା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ । କାରଣ ରାଜ୍ୟର ୬୦ ପ୍ରତିଶତ ଲୋକ ଏହି ବ୍ୟବସ୍ଥା ସହ ଜଡିତ । ଏହା ଏକ ବଡ ଭୋଟବ୍ୟାଙ୍କ । ଏଥିରେ ବିଭଯରାଟ ହେଲେ ସରକାରଙ୍କ ପାଇଁ ଅନେକ ଚ୍ୟାଲେଂଜ ତିଆରି ହେବ । ସରକାର ଏହାର ସମାଧାନର ରାସ୍ତା ଖୋଜି ବାହାର କରୁଥିବା ବେଳେ ବିଜେପି ନେତା ଗୃହକୁ ଚଲାଇ ନଦେବା ଏବଂ ରାଜନୈତିକ ଫାଇଦା ପାଇଁ ଚାଷୀଙ୍କୁ ବ୍ୟବହାର କରିବା ଗ୍ରହଣୀୟ ହେଉନାହିଁ । ଲାଗୁଛି ପଂଚାୟତ ଭୋଟ ଆଗରୁ ବିଜେପି ସଦସ୍ୟ ନିଜ ନିଜ ଅଂଚଳରେ ସ୍ଥିତିକୁ ମଜଭୂତ କରିବାକୁ ଚାଷୀ ପ୍ରସଙ୍ଗକୁ ମୋହରା ବନାଉଛନ୍ତି ।