ଦେଶରେ ହୁହୁ ହୋଇ ବଢୁଛି ତୈଳ ଦର ବଢୁଥିବା ବେଳେ ଏବେ ଖାଉଟିଙ୍କ ପାଇଁ ଆଉ ଏକ ଖରାପ ଖବର । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ କୃଷି ସେସ୍ ବାବଦରେ ଲଗାଯାଇଛି ୪ଟଙ୍କା । ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ପେଟ୍ରୋଲ ଉପରେ ୨.୫୦ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ ବୋଲି କହିଛନ୍ତି । ସେସ୍ ହେଉଛି ଟିକସ ଉପରେ ଟିକସ, ଯାହାକୁ ନିର୍ଦ୍ଦିଷ୍ଟ କାର୍ୟ୍ୟରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଆଦାୟ କରିଥାନ୍ତି । ତେବେ ଏହି ନୂଆ ସେସ୍ ଲାଗୁ ହେଲେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। କାହିଁକି ନା ପୂର୍ବରୁ ଅନ୍ୟାନ୍ୟ ଡ୍ୟୁଟି ଓ ସେସ୍ରେ ସଂସ୍କରଣ ହୋଇସାରିଛି।
କୃଷକଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷି କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି । ହୁ ହୁ ହୋଇ ତେଲ ଦର ବଢ଼ୁଥିବାରୁ ଏହି ସେସ୍ କିପରି ଗ୍ରାହକଙ୍କ ଉପରେ ଅଧିକ ବୋଝ ପକାଇବ ନାହିଁ, ସେଥିପାଇଁ ଉତ୍ପାଦନ ଶୁଳ୍କକୁ କମାଇ ଏହାକୁ ଭରଣା କରାଯିବ । ତେବେ ଏଥିରେ ରାଜ୍ୟଗୁଡିକ କ୍ଷତି ସହିବା ଆଶଙ୍କା ରହିଛି ।
୨୦୨୧-୨୨ ବଜେଟରେ ଡିଜେଲ ଓ ପେଟ୍ରୋଲ ଉପରେ ଏଗ୍ରିକଲଚର ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭେଲୋପମେଂଟ ସେସ୍ ବସାଇଛନ୍ତି ମୋଦୀ ସରକାର । ଗତ ୧୦ ମାସ ମଧ୍ୟରେ ପେଟ୍ରୋଲ ଦର ୧୬ ଟଙ୍କା ଓ ଡିଜେଲ ଦାମ ଲିଟର୍ ପିଛା ୧୪ ଟଙ୍କା ବୃଦ୍ଧି ପାଇଛି ।