ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ବଢିବାରେ ଲାଗିଛି ବିବାଦ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ଜିଦରେ ଅଟଳ ରହିଛନ୍ତି । ଅପରାଜିତା ଟୁଇଟ କରି ଲେଖିଛନ୍ତି ଯେ, ଐତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ । କିନ୍ତୁ ବାଇ-ଲକୁ ଏଡାଇ ଏଭଳି ବିକାଶ ହେବା ଉଚିତ ନୁହେଁ ।ସେପଟେ ବାଇ-ଲ’ ସ୍ଥଗିତ ରହିଥିବା କେନ୍ଦ୍ର ସଂସ୍କତି ମନ୍ତ୍ରୀ ଚିଠି ଲେଖି ଜଣାଇଥିବା ପ୍ରତାପ ଷଡଙ୍ଗୀ କହୁଛନ୍ତି । ଏପଟେ ବାଇ-ଲକୁ ନେଇ ବିଜେପି ଉପରେ ଆକ୍ରମଣ କରିଛି ବିଜେଡି । ବାଇ-ଲ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦାବି କରିବା ବେଳେ କଂଗ୍ରେସ କହିଛି ଯେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କ କଥାରେ ତାଳମେଳ ରହୁନାହିଁ ।
ଅପରାଜିତା ଷଡଙ୍ଗୀ ଟୁଇଟ କରି କହିଛନ୍ତି ଯେ, ୧୯୫୮ ଆମସାର ଆକ୍ଟ ସବୁ ଆଇନର ଉଦ୍ଧ୍ୱର୍ରେ । ତେଣୁ ରାଜ୍ୟ ସରକାର କୌଣସି ବିକାଶମୂଳକ କାମ କରିବା ପୂର୍ବରୁ ଜାତୀୟ କୀର୍ତିରାଜି କତୃପକ୍ଷ କିମ୍ବା ଭାରତୀୟ ପ୍ରତ୍ନତତ୍ୱ ବିଭାଗଠାରୁ ଆବଶ୍ୟକୀୟ ଅନୁମତି ନେବା କଥା ବୋଲି ପୁଣି ଥରେ ଦୋହରାଇଛନ୍ତି ଅପରାଜିତା । ଏହା ପୂର୍ବରୁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା ଯେ, ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତି ପାଇଁ କୋଲକତା ସ୍ଥିତ ଏଏସଆଇ ନିର୍ଦ୍ଦେଶକ ହେଉଛନ୍ତି କ୍ଷମତାପ୍ରାପ୍ତ ଅଧିକାରୀ । ସଂସ୍କୃତି ନିର୍ଦ୍ଦେଶକ ଏହି ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଥିଲା । ତେଣୁ ଏବେ ସେହି ଆମସାର ଆଇନର ଆଳ ଦେଖାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।
ସେପଟେ ବାଇ ଲ’କୁ ସ୍ଥଗିତ ନୁହେଁ, ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭିନ୍ନ ଭିନ୍ନ ମତକୁ ନାପସନ୍ଦ କରିବା ସହ ଲୋକଙ୍କୁ ଭୁଆଁ ନବୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି । ଐତିହ୍ୟ କ୍ଷେତ୍ର ବିକାଶରେ ଏହା ବାଧକ ସାଜୁଥିବାରୁ ବାଇ ଲ’ର ତୁରନ୍ତ ପ୍ରତ୍ୟାହାର ନେଇ ପ୍ରତାପ ପ୍ରତିକ୍ରିୟା ରଖିଛନ୍ତି ।