ଅପରାଜିତାଙ୍କୁ ପାଠ ପଢାଇଲେ ମାନସ ମଙ୍ଗରାଜ

ବାଇ-ଲ’ ପ୍ରସଙ୍ଗରେ ସାଂସଦ ଅପାରିଜିତା ଷଡଙ୍ଗୀଙ୍କୁ ପାଠ ପଢାଇଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ମଙ୍ଗଳବାର ଅପରାଜିତା ଷଡଙ୍ଗୀ ବିଜେଡିକୁ ପଚାରିଥିବା ପାଂଚ ପ୍ରଶ୍ନର ଜବାବ ଦେଇଛନ୍ତି ମାନସ ମଙ୍ଗରାଜ । ଅପରାଜିତାଙ୍କ କଟୁ ସମାଲୋଚନା କରିବାକୁ ଯାଇ ମାନସ ମଙ୍ଗରାଜ କହିଛନ୍ତି, ସେ ତାଙ୍କ ପରି ଆଇଏଏସ୍ ଅଧିକାରୀ ନୁହେଁନ୍ତି କି କୌଣସି ଗବେଷଣା କରିନାହାନ୍ତି । ହେଲେ ଯେକୌଣସି ବ୍ୟକ୍ତି ଆମସାର ଆଇନକୁ ପଢିଲେ ମାତ୍ର ୫ ମିନିଟ୍ ମଧ୍ୟରେ ବୁଝିପାରିବେ ଯେ, ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହିଁ ବାଇ-ଲ’ ପ୍ରସ୍ତୁତ କରିବାକୁ ଅଧିକୃତ କର୍ତ୍ତୃପକ୍ଷ । ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ-ଲ ଚିଠା କ୍ଷମତାପ୍ରାପ୍ତ ଅଧିକାରୀ ।

ମାନସ ମଙ୍ଗରାଜ କହିଛନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ସଂସ୍କୃତିକୁ ବୁଝନ୍ତିନାହିଁ । ତେଣୁ ଭକ୍ତ, ଭଗବାନ ଓ ସେବାୟତଙ୍କ ମଧ୍ୟରେ ଥିବା ଭାବଗତ ସମ୍ପର୍କ ଓ ଧାର୍ମିକ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିପାରୁନାହାଁନ୍ତି । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଏହି ପ୍ରସଙ୍ଗକୁ ବୁଝିପାରିଛନ୍ତି। ବାଇ-ଲ’ ନାଁରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛନ୍ତି ଅପରାଜିତା । କାହିଁକି ସିଧା ପ୍ରଶ୍ନର ଉତ୍ତରରେ ଭୂଆଁ ବୁଲାଇବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ, ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ପ୍ରୟାସ କରୁଛନ୍ତି ଅପରାଜିତା ।

ସାଂସଦ ଅପରାଜିତା ଦୀର୍ଘ ଦିନ ଧରି ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । ହେଲେ ସେ ଆମସର ଆଇନକୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ ମଙ୍ଗରାଜ କହିଛନ୍ତି । ତେଣୁ ସବୁଠାରୁ ଭଲ ହେବ ସେ ଆମସର ଆଇନକୁ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି । ଆମସାର ଆଇନ୍ ୧୯୫୮ର ଧାରା ୨୦-ଇ ଅନୁସାରେ ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଥିବା ଚିଠା ବାଇ-ଲ’ ପ୍ରସ୍ତାବ ଦେବା ପାଇଁ କିଏ ଅଧିକୃତ କର୍ତ୍ତୃପକ୍ଷ ? ସେନେଇ ଅପରାଜିତା ଉତ୍ତର ଦିଅନ୍ତୁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି ।

Comments (0)
Add Comment