ଫେବ୍ରୁଆରୀରେ ହେବନି ସିବିଏସଇ ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହା ସ୍ପଷ୍ଟ କରିଛନ୍ତି । ସରକାର ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଉଈଝଋ ବୋର୍ଡ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏକ ୱେବିନାରରେ ଶିକ୍ଷକମାନଙ୍କ ସହିତ ଆଲୋଚନା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଅଭିଭାବକଙ୍କ ପକ୍ଷରୁ ବୋର୍ଡ ପରୀକ୍ଷା ମେ ମାସରେ କରିବାକୁ ଦାବି ହୋଇ ଆସୁଛି ।ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତୀ କାଳରେ ନିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଛାତ୍ରଙ୍କୁ ପରୀକ୍ଷାର ନୂଆ ପ୍ୟାଟର୍ଣ୍ଣ ଅନୁସାରେ ପ୍ରସ୍ତୁତି ପାଇଁ ପର୍ୟ୍ୟାପ୍ତ ସମୟ ଦିଆଯିବ ।ପରୀକ୍ଷା ମାର୍ଚ୍ଚ ମାସରେ କରିବାର କୌଣସି ବାଧ୍ୟବାଧକତା ନାହିଁ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ନିର୍ଧାରିତ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।
ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ । କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି । ଏଥର ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି । ପିଲାମାନଙ୍କ ଉପରୁ ଚାପ କମ କରିବାକୁ ଏହା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।