କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଭୟ ମଧ୍ୟ କମୁଛି । ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି ।
ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ୟ୍ୟନ୍ତ ଚାଲିବ । ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଏହା ସହିତ ପରୀକ୍ଷା ଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ । ଟ୍ବିଟ୍ କରି ରମେଶ ପୋଖରିୟାଲ ଲେଖିଛନ୍ତି, ‘ବହୁ ପ୍ରତିକ୍ଷିତ ଉଈଝଋ ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ପରୀକ୍ଷାର ସୁପରିଚାଳନା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି । ଆସନ୍ତା ମେ’ ୪ ତାରିଖରୁ ଉଈଝଋ ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ’ ।
ରମେଶ ପୋଖରିୟାଲ ଭିଡିଓରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, କେହି ନିଜକୁ ଚାପଗ୍ରସ୍ତ ହୁଅନ୍ତୁ ନାହିଁ । ମସ୍ତିଷ୍କ ଥଣ୍ଡା ରଖି ପାଠ ପଢ଼ନ୍ତୁ । ଲକ୍ଡାଉନ୍ ସମରେ ଶିକ୍ଷକମାନେ ଅନ୍ଲାଇନ୍ ଜରିଆରେ ଭଲ ଚେଷ୍ଟା କରିଛନ୍ତି । ତେଣୁ କରୋନାକୁ ଯେଭଳି ସବୁ ଭାରତୀୟ ଅତି ସାହସର ସହ ମୁକାବିଲା କଲେ, ଠିକ୍ ସେମିତି ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷାକୁ ନଡରି ଥଣ୍ଡା ମସ୍ତିଷ୍କରେ ପରୀକ୍ଷା ଦେବେ । ଆଉ ଭଲ ରେଜଲ୍ଟ କରିବେ ବୋଲି ଆଶା ରହିଛି ।
ଗତ ଡିସେମ୍ବର ୩୧ରେ ଶିକ୍ଷାମନ୍ତ୍ରୀ ପରୀକ୍ଷାର ଆରମ୍ଭ ଓ ଶେଷ ତାରିଖ ଘୋଷଣା କରିଥିଲେ, ମାତ୍ର ପରୀକ୍ଷାର ବିଷୟସୂଚୀ ଘୋଷଣା କରାଯାଇ ନଥିଲା । ଏହା ସହିତ ସେ ସ୍ପଷ୍ଟ କରିଦେଇଥିଲେ ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ ।