ଆଠ ପୃଷ୍ଠାର ପତ୍ରରେ କ’ଣ ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ?

ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ୮ ପୃଷ୍ଠାର ଏହି ଚିଠିରେ କୃଷିମନ୍ତ୍ରୀ ନୂଆ କୃଷି ଆଇନରୁ ଚାଷୀଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ନେଇ ଚାଷୀଙ୍କୁ ପୁଣି ବୁଝାଇବାକୁ ଚେଷ୍ଟା କରିଛନ୍ତି। ଚାଷୀମାନେ ଯେଉଁ ଏମଏସପିକୁ ନେଇ ସନ୍ଦେହ ଜାରି କରିଛନ୍ତି ସେହି ଏମଏସପି ଏବେ ଜାରି ଅଛି ଓ ଆଗକୁ ରହିବ । ଏହାସହ ମୋଦି ସରକାରଙ୍କ ୬ ବର୍ଷ ଶାସନ କାଳରେ ଏମଏସପି ଜରିଆରେ ଚାଷୀଙ୍କୁ ଦୁଇଗୁଣ ଅର୍ଥ ଦିଆଯାଇଛି । ଅନ୍ୟପଟେ କୃଷି ଆଇନକୁ ନେଇ କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ସେ ଲେଖିଛନ୍ତି ।
ନରେନ୍ଦ୍ର ସିଂ ତୋମାର ସ୍ପଷ୍ଟ କରିଛନ୍ତି ଯେ, କେତେକ ଲୋକ ରାଜନୀତି କରିବା ସହ ମିଥ୍ୟା ପ୍ରଚାର କରୁଛନ୍ତି । ଏମଏସପି ଅଛି ଏବଂ ଜାରି ରହିବ ବୋଲି ଏହି ପତ୍ର ଜରିଆରେ ସେ ସ୍ପଷ୍ଟ କରିଛନ୍ତି। କେତେକ ଚାଷୀ ସଙ୍ଗଠନ ନୂଆ କୃଷି ସଂସ୍କାରକୁ ସ୍ୱାଗତ କରିଛନ୍ତି। ଅପରପଟେ ଏହି ସଂସ୍କାରର ଅନ୍ୟ ପାଖଟି ଅନେକ ଚାଷୀଙ୍କୁ ଅସନ୍ତୁଷ୍ଟ କରିଛି। ତେବେ ସେମାନଙ୍କର ଏହି ଅସନ୍ତୋଷ କେବଳ ଭ୍ରମ ବୋଲି କୃଷିମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଚିଠିର ପ୍ରତ୍ୟେକ ପୃଷ୍ଠାରେ କୃଷିମନ୍ତ୍ରୀ ଆଇନ ଯୋଗୁ ଚାଷୀଙ୍କ ଲାଭ ଓ ଏ ନେଇ ଥିବା ଭ୍ରମ ଦୂର କରିବାକୁ ପ୍ରୟାଶ କରିଛନ୍ତି। ଯେଉଁଥିରେ ପ୍ରଚଳିତ ଏମଏସପି ବ୍ୟବସ୍ଥାରେ ପରିବର୍ତ୍ତନ ସରକାରଙ୍କ ଉଦ୍ଦେଶ୍ୟ ନଥିଲା କି ନାହିଁ ବୋଲି କହିଛନ୍ତି। ସେହିପରି ମଣ୍ଡିର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏଥିରେ ମଣ୍ଡି ହଟିଯିବା ନେଇ ଚାଷୀଙ୍କ ଧାରଣା ଦୂର କରିବାକୁ କୃଷି ମନ୍ତ୍ରୀ ଚେଷ୍ଟା କରିଛନ୍ତି।

ଚୁକ୍ତି ଭିତିକ ଚାଷକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଲେଖିଛନ୍ତି କି ଏହି ଆଇନ ବଳରେ କୃଷକଙ୍କ ଜମି ଉପରେ କୌଣସି ପ୍ରକାର ବିପଦ ରହିବ ନାହିଁ । କମ୍ପାନୀ ମାନେ କେବଳ ଉତ୍ପାଦିତ ଫସଲକୁ ନେଇ ଚୁକ୍ତି କରିବେ ଜମିକୁ ନେଇ କୌଣସି ଚୁକ୍ତି ହେବ ବୋଲି ନୂତନ ଆଇନରେ ପ୍ରାବଧାନ ନଥିବା କଥା କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କୃଷକ ମାନଙ୍କୁ ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ଦେୟ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଦେୟ ନଦେଲେ ଜରିମାନା ଲାଗୁ କରାଯିବ । ଗତ ୨୨ ଦିନ ହେବ ଆନ୍ଦୋଳନ ଚଳାଇଥିବା କୃଷକ ମାନେ ଏବେ ବି ଆଇନରେ ସଂଶୋଧନ ନୁହେଁ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।

Comments (0)
Add Comment