ଓଡ଼ିଶାକୁ ୩୨୦ କୋଟି

କେନ୍ଦ୍ର ସରକାରଙ୍କ ବନ୍ୟା ସହାୟତା ଘୋଷଣା । ବନ୍ୟା ପରି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି । ଦେଶର ୫ ଟି ରାଜ୍ୟକୁ ସହାୟତା ରାଶି ଅନୁମୋଦନ ହୋଇଛି । ଓଡିଶାକୁ ୩୨୦.୯୪ କୋଟି ଟଙ୍କା ଦିଆଯାଇଛି।

ବନ୍ୟା ପରି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାର ୫ଟି ରାଜ୍ୟ ପାଇଁ ୧,୭୫୧.୦୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିରେ ଓଡିଶାକୁ ୩୨୦.୯୪ କୋଟି ଟଙ୍କା ଦିଆଯାଇଛି। ଅନ୍ୟ ରାଜ୍ୟ ଗୁଡିକ ହେଲା ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ । ଆସାମ ପାଇଁ ସର୍ବାଧିକ ୪୩୭.୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ପାଇଁ ୭୫ କୋଟି ୮୬ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ସେହିପରି ଓଡ଼ିଶା ପାଇଁ ୩୨୦ କୋଟି ୯୪ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ତେଲେଙ୍ଗାନା ପାଇଁ ୨୪୫.୯୬ କୋଟି ଓ ଉତ୍ତର ପ୍ରଦେଶ ପାଇଁ ୩୮୬.୦୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରୁ ପାଞ୍ଚଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରିଛି।

କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟକୁ ଅପେକ୍ଷା ନକରି ପାଞ୍ଚ ରାଜ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିଜ ଆଡୁ ଅନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଆଧାରରେ ଏହି ୫ ରାଜ୍ୟ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।ଏହା ବ୍ୟତୀତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ର ସରକାର ଏ ପର୍ୟ୍ୟନ୍ତ ଏସଡିଆରଏଫରୁ ୧୯,୦୩୬.୪୩ କୋଟି ଟଙ୍କା ଏବଂ ଏନଡିଆରଫଏରୁ ୪,୪୦୯.୭୧ କୋଟି ଟଙ୍କା ଜାରି କରି ସାରିଛି।

କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧିନରେ ଓଡିଶା ପାଇଁ ୩୨୦ କୋଟି ୯୪ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ମଂଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।ଏହି ଆର୍ଥିକ ସହାୟତା ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସହାୟକ ହେବ ବୋଲି ଟୁଇଟ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Comments (0)
Add Comment