ବାତ୍ୟା ପ୍ରଭାବିତ ଅଂଚଳରେ କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ । ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ । ଗୋଟିଏ ଟିମ ବାଲେଶ୍ବର ଯାଇଥିବା ବେଳେ ଆଉ ଗୋଟିଏ ଟିମ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଯାଇଛନ୍ତି । ଆସନ୍ତାକାଲି ବାଲେଶ୍ବର ଟିମ ମୟୂରଭଞ୍ଜ ଯିବାକୁ ଥିବା ବେଳେ, ଭଦ୍ରକ ଟିମ କେନ୍ଦ୍ରାପଡା ବାତ୍ୟାଞ୍ଚଳ ବୁଲି ଦେଖିବେ । କେନ୍ଦ୍ରୀୟ ଦଳରେ ୭ ଜଣ ସଦସ୍ୟ ରହିଛନ୍ତି । ଏହି ଟିମ୍ ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ପରେ କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।
ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପୂର୍ବରୁ କେନ୍ଦ୍ରୀୟ ଟିମ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ କ୍ଷୟକ୍ଷତି ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି । ଦୁଇଟି ଭାଗରେ ବିଭକ୍ତ ହୋଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଗସ୍ତରେ ଯାଇଛି ଏହି ଟିମ୍ । ଟିମର ନେତୃତ୍ୱ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଳାୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ନୱାଲ୍ । ବାତ୍ୟା ୟାସର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରରୁ ଏହି ଟିମ୍ ଓଡ଼ିଶା ଆସିଛି। ପୂର୍ବରୁ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ମଧ୍ୟ କରୁଛନ୍ତି। ଜିଲ୍ଲା ପ୍ରଶାସନ ମାଧ୍ୟମରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଅନୁସାରେ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।
ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ । ଦିଲ୍ଲୀ ଫେରି ଓଡ଼ିଶାକୁ ୫ ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।