ସରକାର ! ଆଉ କେତେ ଯବାନ ସହିଦ ହେବେ

ଆଉ କେତେ ଦିନ…? କେତେ ଦିନ ଯାଏଁ ଏମିତି ଯବାନଙ୍କ ଜୀବନ ଯାଉଥିବ । କେତେ ଥର ଆଉ ନରହନ୍ତା ନକ୍ସଲଙ୍କ ନିର୍ମମକାଣ୍ଡରେ ବୀର ଯବାନ ସହିଦ ହେଉଥିବେ ? ଆତଙ୍କୀଙ୍କ ହମଲା, ଆମ୍ବୁସର ଚକ୍ରବ୍ୟୁହରେ ଫସି ବୀର ଯବାନ ବଳିଦାନ ଦେଉଥିବେ ? ଆଉ କେତେ ଦିନ ଏମିତି ସରକାରଙ୍କ ମୁହଁରୁ ଶୁଣିବାକୁ ମିଳିବ ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ ? ଯେଉଁଠି ଯେଉଁଠି ଆକ୍ରମଣ ହୋଇଛି, ଯେତେଯେତେ ଥର ଯବାନ ସହିଦ ହୋଇଛନ୍ତି ସେତେଥର ସରକାରଙ୍କ ଏହି ତଥାକଥିତ ସଂଳାପ ଶୁଣିବାକୁ ମିଳେ । କେବେ ସୈତାନ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ନିପାତ କରାଯାଏ ପୁଣି କେବେ ଦେଶର ବଣ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀଙ୍କୁ ମାରିବାକୁ ଅପରେସନ ଜୋରଦାର କରାଯାଏ । ଆକ୍ରମଣ ଘଟଣାର କିଛି ଦିନ ପରେ ସବୁ ପୂର୍ବପରି ଚାଲେ । ପୁଣି ସକ୍ରିୟ ହୁଅନ୍ତି ସୈତାନ, ବଳ ଗୋଟାନ୍ତି ମାଓବାଦୀ, ନକ୍ସଲ, ଆତଙ୍କବାଦୀ । ପୁଣି ଯୋଜନା କରି ମୃତ୍ୟୁ ଜାଲ ବିଛାଇ ନେଇ ଯାଆନ୍ତି ଜଣେ ପରେ ଜଣେ ଯବାନଙ୍କ ଜୀବନ । ମାଟିମାଆ କୋଳରୁ ଦୂରେଇଯାଏ ତା ବୀର ସନ୍ତାନ ।

ହେଲେ ଏମିତି ନାଟକ ଆଉ କେତେ ଦିନ ଦେଖିବାକୁ ପଡିବ ? କେତେଦିନ ମାଓବାଦୀମାନେ ଗୋଟେ ମାଆର କୋଳରୁ ପୁଅକୁ ଛଡାଇ ନେଉଥିଲେ, ସ୍ତ୍ରୀ ମଥାରୁ ସିନ୍ଦୂର ଲିଭାଇ ଦେଉଥିଲେ, ପିଲାଙ୍କ ମୁଣ୍ଡରୁ ବାପାର ହାତ ହାଣି ଦେଉଥିବେ ? ଦେଶ ପାଇଁ ଯବାନ ସହିଦ ହେଉଛନ୍ତି ଓତ ହେଲେ ସବୁପରେ ତାଙ୍କ ପରିବାର ଅସହାୟ ହୋଇଯାଉଛି । କଣ ପାଇଁ ବାରମ୍ବାର ଘଟଣାର ପୁନଃରାବୃତି ଘଟୁଛି । ମୋଦି ସରକାର ଆତଙ୍କବାଦୀ କାର୍ୟ୍ୟକଳାପକୁ ବନ୍ଦ କରିବାକୁ ବଡ ବଡ ଭାଷଣ ଦେଉଛନ୍ତି, ନାରା ଲମ୍ବାଉଛନ୍ତି ହେଲେ ନକ୍ସଲୀକାଣ୍ଡର ମୂଳପୋଛ ପାଇଁ କିଛି ବି ଆଖି ଦୃଶିଆ କାମ ହେଉନି । ଯଦିଓ ଓଡିଶାରେ ଆଉ ମାଓବାଦୀଙ୍କ ବର୍ବରକାଣ୍ଡ ଆଉ ଆଗଭଳି ଦେଖିବାକୁ ମିଳୁନି କିନ୍ତୁ ଓଡିଶାର ସୀମାରେ ସାଙ୍ଘାତିକ ହେଉଛି ନକ୍ସଲୀ କାର୍ୟ୍ୟକଳାପ । ସାଧାରଣ ଲୋକଙ୍କ ଠାରୁ ଯବାନଙ୍କ ଯାଏଁ ନିଜ ସ୍ୱାର୍ଥରେ ବାଧା ଉପୁଜିଲେ ଗୋଟେ ପରେ ଗୋଟେ ମୁଣ୍ଡଗଡାଉଛନ୍ତି ମାଓବାଦୀ । ସରକାରଙ୍କୁ ଟାର୍ଗେଟ କରୁଥିବା କଥା ନକ୍ସଲ ଯେତେ ସଫେଇ ଦେଲେ ବି ଶିକାର କିନ୍ତୁ ହେଉଛନ୍ତି ଯବାନ । ଆଉ ସରକାର ବଳିଦାନ ବ୍ୟର୍ଥ ଯିବନି ବୋଲି ବାରମ୍ବାର ସେହି ଗୋଟିଏ ଡାଇଲଗକୁ ରିପିଟ କରିଚାଲିଛନ୍ତି ।

ତେବେ ଗତ ୩ ତାରିଖରେ ଛତିଶଗଡର ମାଓତାଣ୍ଡବ ସାରା ଦେଶକୁ ଦୋହଲାଇ ଦେଇଛି । ସୁକମା-ବିଜାପୁର ସୀମାରେ ନରସଂହାର କରିଛନ୍ତି ନକ୍ସଲ । ଚକ୍ରବ୍ୟୁହରେ ଫସାଇ ଯବାନଙ୍କ ପ୍ରାଣ ପିଇଯାଇଛନ୍ତି ନରପିଶାଚ । ତେବେ ସିନେମା ଷ୍ଟାଇଲରେ ଯବାନଙ୍କୁ ନିଜ ଜାଲରେ ଫସାଇଥିଲେ ମାଓବାଦୀ । ଜୁନାଗଡ ଅଞ୍ଚଳରେ ମାଓ କମାଣ୍ଡର ହିଡମା କ୍ୟାମ୍ପ କରିଥିବା ଗୁପ୍ତଚର ଯୋଗେ ଖବର ପ୍ରଘଟ କରାଯାଇଥିଲା । ଆଉ ପରେ ଯବାନ ଏକ ବଡ ଅପରେସନ ପାଇଁ ତୟାର ହୋଇଥିଲେ । ପ୍ରାୟ ୨୦୦୦ ଯବାନ ଜଙ୍ଗଲରେ ଅପରେସନ କରୁଥିବା ବେଳେ ଆମ୍ବୁସ କରି ସେମାନଙ୍କୁ ଘେରିଥିଲେ ୪୦୦ ମାଓବାଦୀ । ଅବିଶ୍ରାନ୍ତ ଗୁଳିବର୍ଷା, ଘନଘନ ଫାୟାରିଂ ସହ ଗ୍ରେନେଡ ମାଡ କରି ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲେ ମାଓବାଦୀ । ପାଖାପାଖି ୪ ଘଣ୍ଟା ଏହି ଗରିଲା ଯୁଦ୍ଧ ଚାଲିଥିବା ବେଳେ ଯୁଦ୍ଧ ଶେଷ ବେଳକୁ ପୂରା ଜଙ୍ଗଲୀ ମାଟି ରକ୍ତ ଜୁଡୁବୁଡୁ ହୋଇଥିଲା । ଯୁଆଡେ ଚାହିଁଲେ ଖାଲି ମାଓବାଦୀଙ୍କ ମୃତଦେହ ଦେଖାଯାଉଥିଲା । ୨୨ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୨୦ରୁ ୩୦ ମାଓବାଦୀ ଟଳିପଡିଥିବା କୁହାଯାଉଛି ।

ତେବେ ନକ୍ସଲଙ୍କ ନରସଂହାର ପରେ ପୂରା ଦେଶ ସ୍ତବ୍ଧ ହୋଇଥିବା ଲୁହରେ ଭିଜିଛି ଛତିଶଗଡ ଛାତି । ୨୨ ଯବାନ ସହିଦ ହେବା ପରେ ଗୋଟିଏ ଜାଗାରେ ଯବାନଙ୍କ ପାର୍ଥୀବ ଶରୀରର ଦୃଶ୍ୟ ଦେଖି ଛାତିରୁ କଲିଜା ଖସିପଡିଲା ପରି ଲାଗୁଛି । ଯିଏ ଦେଖୁଛି ସିଏ କାନ୍ଦୁଛି । କାହାର ସ୍ୱାମୀ, କାହାର ପୁଅ, ଆଉ କାହାର ବାପା ଭାଇ ସହିଦ ହୋଇଛନ୍ତି । ଏକ ଲୁହଭିଜା ପରିବେଶରେ ସହିଦଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିବା ବେଳେ ଓଡିଆ ଯବାନ ସୁବାସ ନାୟକଙ୍କ ସହିଦ ଖବର ଓଡିଶା ଆଖିରେ ଲୁହ ଆଣି ଦେଇଛି ।

ସେପଟେ ଇଟାର ଜବାବ ପଥରରେ ଦେବାକୁ ପ୍ରସ୍ତୁତ ହେଉଛି ରଣନୀତି । ବୀରଙ୍କ ବଳିଦାନ ବ୍ୟର୍ଥ ନକରିବାକୁ ଆରମ୍ଭ ହେଉଛି ଅପରେସନ ପ୍ରହାର-୩ । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଛତିଗଡରେ ଆରମ୍ଭ କରିବେ ପ୍ରହାର । ଜଙ୍ଗଲରେ ଲୁଚିଥିବା ନକ୍ସଲଙ୍କୁ ନିପାତ ପାଇଁ ଏହି ପ୍ରହାର କରାଯିବ । ଆଉ ଗୋଟି ଗୋଟି କଳଙ୍କକୁ ମାଟିରୁ ଲିଭାଇ ଦିଆଯିବ । ତେବେ କେବେ ହେବ ଏ ଆକ୍ସନ ଆଉ କେବେ ବଳିଦାନର ଜବାବ ଦିଆଯିବ ତାଉପରେ ନଜର ରହିଛି ।

Comments (0)
Add Comment