ମହାମାରୀ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଏଣିକି ଅନଲାଇନରେ ମିଳିବ କୋଭିଡ୍ ହସପିଟାଲରେ ଥିବା ଖାଲି ଶଯ୍ୟା ସଂଖ୍ୟା । ଏଥିପାଇଁ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗୁ କରାଯିବ ।ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟ ଶାସନ ସଚିବ ଏସବୁ କାର୍ୟ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ କୋଭିଡ୍ ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହା ସହିତ ସମୟାନୁସାରେ ଆବଶ୍ୟକ ପରିମାଣରେ ଅମ୍ଳଜାନ ଓ ଔଷଧ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ୟ୍ୟ କରୁଛନ୍ତି। ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।
କୋଭିଡ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କୋଭିଡ କେୟାର ସେଣ୍ଟର ସହ କୋଭିଡ ହସ୍ପିଟାଲ କାର୍ୟ୍ୟକ୍ଷମ ହୋଇଛି । ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ବେସରକାରୀ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ ପଦକ୍ଷେପ ନିଆଯାଇଛି । ୩୦% ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ହୋଇଛି ।