ନୂଆପଡାକୁ ନବୀନଙ୍କ ବଡ଼ ଉପହାର । ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନୂଆପଡ଼ା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜେଳସେଚନ ପ୍ରକଳ୍ପର ଉଦଘାଟନ କରିବା ସହ ଖଡ଼ିଆଳରେ ଆୟୋଜିତ ସଭାରେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ୱାଧୀନତା ସଂଗ୍ରାମରେ ମା’ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।ନୂଆପଡ଼ା ଭେଲା ଗାଁ ର ମା’ ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି।ନୂଆପଡାର ଫ୍ଲୋରାଇଡ ପାଣି ସମସ୍ୟାର ସମାଧାନ କରାଯାଇଛି । ଆଜି ନୂଆପଡାର ୫୫ ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ହଜାରେରୁ ଅଧିକ ଫ୍ଲୋରାଇଡ ରାଇଭୋଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ୯୦୦ ରୁ ଅଧିକ ଗାଁ କୁ ଫ୍ଲୋରାଇଡ ସମସ୍ୟାରୁ ଶତ ପ୍ରତିଶତ ମୁକ୍ତ କରାଯାଇ ପାରିଛି। କେବଳ ସେତିକି ନୁହେଁ ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣି ର ସୁବିଧା ମଧ୍ୟ ଦିଆ ଯାଇଛି । ୨୦୨୨ ସୁଧା ନୂଆପଡା ର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ ଟି ପାଇପ ୱାଟର ସପ୍ଲାଏ ପ୍ରକଳ୍ପ ଓ ଗୋଟିଏ ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାମ ଚାଲିଛି।
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ୧୯୯୩ ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ। ସେତେବେଳେ କିଛି ଲୋକ ଏହାକୁ ନେଇ ପ୍ରଶ୍ନ କରିବାରୁ ବିଜୁ କହିଥିଲେ ଦୂରରେ ରହୁଥିବା ପିଲାଙ୍କୁ ଯେପରି ବାପା ମା ବହୁତ ଭଲ ପାଆନ୍ତି ସେହିପରି ବିଜୁ ବାବୁ ନୂଆପଡ଼ାକୁ ଭଲ ପାଆନ୍ତି ବୋଲି ଜବାବ ରଖିଥିଲେ। ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ୬୮୦ କୋଟି ଟଙ୍କାରେ ୧୩୨ କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ନୂଆପଡାର ଜିଲ୍ଲା ମୁଖ୍ୟ ହସ୍ପିଟାଲ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ ।
ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଉଛି । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗିର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର ୨୦୦ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ । ଆପଣ ଜାଣନ୍ତି ନୂଆପଡାରେ ୨୨୦ କୋଟି ଟଙ୍କାର ବୃହତ ଉଠା ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାଦ୍ୱାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମିକୁ ପାଣି ମିଳିପାରିବ । ଏଥିପାଇଁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ ।