କୋଭିଡ ସଂକ୍ରମଣରେ ମୃତ୍ୟୁହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ସହାୟତା । ରାଜ୍ୟରେ କୋଭିଡ ମୁକାବିଲା ନେଇ ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । କରୋନାରେ ମୃତ ପରିବାରକୁ ପେନସନ ମିଳିବ । କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀ ଏବଂ ବାପା-ମାଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ ବୋଲି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମା ଓ ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯ଼ୋଜନାରେ ସାମିଲ କରାଯ଼ିବା ସହ ମାଗଣା ଶିକ୍ଷା ମିଳିବ ।
ରାଜ୍ୟର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବା ପରିପ୍ରେକ୍ଷୀରେ ଗାଁରେ କରୋନା ସର୍ଭେ ଓ ମୁକାବିଲା ଉପରେ ଗୁରୁତ୍ବ ଦିଆଯାଇଛି । ମେ ୨୪ରୁ ଏଏନଏମ ଓ ଆଶାକର୍ମୀମାନେ ଗାଁରେ ଘରକୁ ଘର ବୁଲି କରୋନା ଲକ୍ଷଣ, ଅନ୍ୟାନ୍ୟ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରେତ୍ସାହନରାଶି ମିଳିବ । ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଆଶାକର୍ମୀଙ୍କୁ ସାଇକେଲ, ଛତା, ଟର୍ଚ୍ଚ, ଚପଲ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ମିଳିବ ।ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯ଼ିବ । ପରିସ୍ଥିତିକୁ ଦେଖି ସେମାନେ ଗାଁରେ ଲକଡାଉନ ବା କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ ।
ସେହିପରି ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ଼୍ୟନ୍ତ ଅର୍ଥ କରୋନା ମୁକାବିଲା ପାଇଁ ବ୍ୟୟ କରିହେବ । ଗରିବ ଲୋକଙ୍କୁ ମାସ୍କ ବଣ୍ଟନ ପାଇଁ ମିଶନଶକ୍ତି ଗ୍ରୁପମାନଙ୍କଠାରୁ ମାସ୍କ ଖରିଦ ମଧ୍ୟ ଏହି ଅର୍ଥରେ କରାଯ଼ାଇପାରିବ ।