ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୟାପ୍ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହର ହେଲା ପୁରୀ। ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି। ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ୱଚ୍ଛ ପାଣି। ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲଣ୍ଡନ, ଲସ୍ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହେଲା ପୁରୀ।
ଏହି ଯୋଜନା ପରେ ଏବେ ପୁରୀରେ ପର୍ୟ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ। ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଲୋକ ଏବଂ ଏଠାକୁ ପ୍ରତିବର୍ଷ ଆସୁଥିବା ୨ କୋଟି ପର୍ୟ୍ୟଟକ ଉପକୃତ ହେବେ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପରେ ବଡଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ୱାଟର ଫାଉଣ୍ଟେନ ରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ୪୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ ୱେଷ୍ଟରୁ ମଧ୍ୟ ସହର ରକ୍ଷା ପାଇପାରିବ।