ମୋଦିଙ୍କ ରାସ୍ତାରେ ନବୀନ-ମମତା କଣ୍ଟା

୨୦୧୯ରେ ନବୀନ, ୨୦୨୧ରେ ମମତା । ମୋଦିଙ୍କ ରାସ୍ତାରେ ମହାଦୃମ ହୋଇ ଛିଡା ହୋଇଥିବା ଦେଶର ଦୁଇ ବିଶାଳ କ୍ଷମତା, ବଳିଷ୍ଠ ଚେହେରା । ଯାହାଙ୍କ ଆଗରେ ନା କାମ କରେ ମୋଦି ମ୍ୟାଜିକ୍ ନା କାଟୁ କରେ ବିଜେପି ଚାଣକ୍ୟଙ୍କ ଗୋଟି ଚାଳନା । ଶାହାଙ୍କ ସବୁ ସୂତ୍ର ବି ଫିକା ପଡିଯାଏ ଏହି ଦୁଇ ପଲିଟିକାଲ ଲିଡରଙ୍କ ଷ୍ଟ୍ରାଟେଜୀ ଆଗରେ । ଯେବେଯେବେ ମୋଦି ଜିତିବାର ଜିଦ୍ ଧରିଛନ୍ତି ସେବେସେବେ ନବୀନ- ମମତାଙ୍କଠୁ ମାତ୍ ଖାଇଛନ୍ତି ମୋଦି । ଆଉ ଆଞ୍ଚଳିକ ଦଳ ଆଗରେ ହାର ମାନିଛି ଜାତୀୟ ଦଳ । ସେବେ ନବୀନ, ଏବେ ମମତା ମୋଦିଙ୍କୁ ହରାଇ ଆଞ୍ଚଳିକ ଦଳର ପାୱାର କେତେ ତାହା ଦିଲ୍ଲୀକୁ ଦେଖାଇଛି ଓଡିଶା ଓ ପଶ୍ଚିମବଙ୍ଗ ।

ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଶେଷରେ ପଶ୍ଚିମବଙ୍ଗରେ ଖେଳ ହୋଇଛି । ମୋଦିଙ୍କୁ ମହଙ୍ଗା ପଡିଛି ଦିଦି ଓ ଦିଦି… ନାରା । ଆଉ ସଠିକ ସ୍ଥାନରେ ମୋଦିଙ୍କ କଟାକ୍ଷକୁ ଇଭିଏମରେ ଜବାବ ଦେଇଛନ୍ତି ପଶ୍ଚିମବଙ୍ଗବାସୀ । ପ୍ରଚାର ବେଳେ ମୋଦି ଯେଉଁ ଅହଙ୍କାରର ଆୱାଜ କରୁଥିଲେ ସେ ଗର୍ଜନକୁ ନିରବତାରେ ବଦଳାଇଦେଇଛି ପଶ୍ଚିମବଙ୍ଗ ଅଙ୍କ । ବଙ୍ଗାଲରେ ମମତା ପବନ ବହିବା ପରେ ନିରବ ରହିଛନ୍ତି ନରେନ୍ଦ୍ର ମୋଦି । ଶୂନଶାନ ହୋଇଛି ଗେରୁଆ ଶିବିର । ୨୯୨ ଆସନରେ ଭୋଟିଂ ହୋଇଥିବା ବେଳେ ୨୧୩ଟି ଆସନରେ ବିଜୟୀ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି । କୁହୁକ ନମ୍ବର କ୍ରସ କରି ଲଗାତାର ତୃତୀୟ ଥର ପାଇଁ କ୍ଷମତା ପାଇଛନ୍ତି ମମତା । ଆଉ ବଙ୍ଗାଲରେ କଳ, ବଳ , କୌଶଳ ପ୍ରୟୋଗ କରି ଚିତପଟାଙ୍ଗ ମାରିଛି ମୋଦିଙ୍କ ଦଳ । ସ୍ଥିତି ଏମିତି ହୋଇଛି ଦୁଇ ଅଙ୍କ ବି ଡେଇଁ ପାରିଲାନି ବିଜେପି । ୭୭ ଆସନରେ ହିଁ ସୀମିତ ରହିଛି ଦଳ । ଯଦିଓ ମମତାଙ୍କ ମାଟିରେ ବହୁ କସରତ ପରେ ୨୦୧୬ ଠାରୁ ଅଧିକ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି । ୨୦୧୬ରେ ମାତ୍ର ୩ଟି ସିଟ ପାଇଥିବା ବିଜେପି ଏଥର ୭୭ ପାଇ ଖୁସି ଅଛି । କିନ୍ତୁ ମମତାଙ୍କ ଶକ୍ତି ଆଗରେ ମାଟି କାମୁଡି ପଡିଛି ବିଜେପି । ଆଉ ପଶ୍ଚିମବଙ୍ଗ ଜନାଦେଶ ସ୍ପଷ୍ଟ ପ୍ରମାଣିତ କରିଦେଇଛି ମମତା ୱାନ ୱମେନ୍ ଆର୍ମି ବୋଲି…

ଚଳିତ ନିର୍ବାଚନରେ ମମତା ଅନେକ ଚାଲେଞ୍ଜ ଭିତରେ ପୁଣି ଚମକିଛନ୍ତି । ଏଥର ଟିଏମସି ହାତ ଛାଡି ଅନେକ ସହଯୋଗୀ ପଦ୍ମ ପୋଖରୀକୁ ଡେଇଁବା ପରେ ବି ସେ ଏକା ଏକା ନିଷ୍ଠାର ସହ ଲଢେଇ କରି ପଶ୍ଚିମବଙ୍ଗ ଫାଇଟ୍ ଜିତିଛନ୍ତି । ଆଉ ୨୦୧୧, ୨୦୧୬ ପରେ ୨୦୨୧ରେ ବି ଜଣେ ଫାଇଟର ପ୍ରମାଣ ଦେଇଛନ୍ତି ।
ନବୀନ ହୁଅନ୍ତୁ କି ମମତା, ମୋଦି ଯେତେବେଳେ କଟାକ୍ଷ କରିଛନ୍ତି ତାଙ୍କୁ ତାଙ୍କ କଥା ବୁମେରାଂ ହୋଇଛି । ଆଉ ସେ ପରାଜିତ ହୋଇଛନ୍ତି । ୨୦୧୯ରେ ଓଡିଶାରେ ଯେତେବେଳେ ସାଧାରଣ ନିର୍ବାଚନ ହେଉଥିଲା ସେତେବେଳେ ବିଜେପି- ବିଜେଡି ମଧ୍ୟରେ କଡା ଟକ୍କର ଲାଗିଥିଲା । ମୋଦି- ଶାହାଙ୍କ ଭଳି ବଡ ବଡ ନେତା ଦିଲ୍ଲୀରୁ ଆସି ଓଡିଶାରେ ଡେରା ପକାଉଥିଲେ । ଶାହା ନବୀନଙ୍କୁ ପୋଡା ଟ୍ରାନ୍ସଫର କରିବା ସହ ଖୋଦ ମୋଦି ନବୀନଙ୍କୁ କେନ୍ଦ୍ରାପଡାରୁ ଟାର୍ଗେଟ କରିଥିଲେ । ନବୀନ ବାବୁ ଆପଣ ଏଥର ଓଡିଶାରୁ ଯାଉଛନ୍ତି । ଏଥର ଡବଲ ଇଞ୍ଜିନ ଆସୁଛି । ଆଉ ବିଜେଡି ସରକାର ଗଲା ପରେ ହିଁ ମୋଦି ପୁଣି ଥରେ ଓଡିଶା ଆସିବେ ବୋଲି ଛାତିବାଡେଇ କହିଥିଲେ । କିନ୍ତୁ ପରଦିନ ରେମୁଣା ସଭାରୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ । ଶପଥ ଉତ୍ସବରେ ଆସିବାକୁ ମୋଦିଙ୍କୁ ନବୀନ ନିମନ୍ତ୍ରଣ କରିଥିଲେ । ୧୯ ବାଜିରେ ବିଜେପିର ଲ୍ୟାଣ୍ଡ ସ୍ଲାଇଡ୍ ଭିକ୍ଟ୍ରି ହୋଇଥିବା ବେଳେ ବିଜେଡି ୧୧୨, ବିଜେପି ୨୩ ଓ କଂଗ୍ରେସ ୯ରେ ଅଟକିଥିଲା ।

ଠିକ ସେମିତି ୨୦୨୧ରେ ପଶ୍ଚିମବଙ୍ଗରେ ମୋଦି ମମତାଙ୍କୁ ଦିଦି ଓ ଦିଦି… କହି ଯେଉଁ କଟାକ୍ଷ କରିଛନ୍ତି ତାହା ତାଙ୍କୁ ମହଙ୍ଗା ପଡିଛି । ମୋଦିଙ୍କ ଏହି ନାରାକୁ ମତଦାତା ଗ୍ରହଣ କରିପାରି ନାହାନ୍ତି । ବିଶେଷକରି ମହିଳା ଭୋଟରମାନେ ଏହାକୁ ନାପସନ୍ଦ କରିଛନ୍ତି ଆଉ ନିଜର ରାଗକୁ ଇଭିଏମରେ ଶୁଝାଇଛନ୍ତି । ଯାହାର ପରିଣାମ ମୋଦି ପରାସ୍ତ ହୋଇଛନ୍ତି । ସେ ଦିଦି ହୁଅନ୍ତୁ ବି ନବୀନ, ମୋଦିଙ୍କ ରାସ୍ତାରେ ଉଭୟ କଣ୍ଟା ହୋଇ ଛିଡା ହେଉଛନ୍ତି । ଯେଉଁ କଣ୍ଟାକୁ ନା ମୋଦି କାଢି ପାରୁଛନ୍ତି ନା ଆଡେଇ ପାରୁଛନ୍ତି । ଜୋର ଲଗାଇଲେ ପାଦରେ ଫୁଟିଲା ପରି କଥା ହେଉଛି । ତେବେ ଓଡିଶା, ପଶ୍ଚିମବଙ୍ଗର ରାଜନୈତିକ ଚିତ୍ରରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି, ଜାତୀୟ ଦଳ ଆଞ୍ଚଳିକ ଦଳ ଆଗରେ ପ୍ରଭାବହୀନ ହେଉଛି ।

Comments (0)
Add Comment