ଝଲସିଲା କଟକ-ପୁରୀ ବାଇପାସ ରୋଡ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି। ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି

ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି  ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲଇଡି ଲାଇଟ ଲଗାଯାଇଛି ଏବଂ  ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଭୁବନେଶ୍ବର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବି‌ଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବରର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment