ଆଉ କାନ୍ଦିବନି କଳିଙ୍ଗ ଷ୍ଟୁଡିଓ…

ପ୍ରାଣ ଫେରି ପାଇବ କଳିଙ୍ଗ ଷ୍ଟୁଡିଓ । ପୁଣି ଶୁଣିଭ ଲାଇଟ, କ୍ୟାମେରା, ଆକ୍ସନ । ଓଡିଶାର ରାମୋଜୀ ଫିଲ୍ମସିଟି କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ନୂଆ ରୂପ ନେବ ଅର୍ଥାତ ଏହାର ନବକଳେବର ହେବ । ଦୀର୍ଘ ୪୦ ବର୍ଷ ତଳେ ଓଡିଆ ଚଳଚ୍ଚିତ୍ରର ଏନ୍ତୁଡିଶାଳା, ପ୍ରୟୋଗଶାଳା କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ଉପରେ ଶୁଭ ଦୃଷ୍ଟି ପକାଇଛନ୍ତି ରାଜ୍ୟ ସରକାର । ଡେରିରେ ହେଲେ ବି ପାଷାଣ ପାଲଟିଥିବା ଷ୍ଟୁଡିଓ ବିକାଶର ସ୍ପର୍ଶ ପାଇ ପୁନର୍ଜନ୍ମ ପାଇବାକୁ ଯାଉଛି । ମାଟିରେ ମିଶିଯିବାକୁ ବସିଥିବା କଳାର ମାଟି ଏବେ ପୁଣି ମୁଣ୍ଡଟେକି ଉଠିବାକୁ ଯାଉଛି ଆଉ ଜଙ୍ଗଲ ଭିତରେ ଜୀବନର ସତ୍ତା ହରାଇଥିବା ସିନେମାର ଶିଳ୍ପ ଏବେ ପୁନଃ ଜୀବନ୍ୟାସ ପାଇବାକୁ ଯାଉଛି ।

କଳିଙ୍ଗ ଷ୍ଟୁଡିଓର ଜୀବନ ଫେରିବ…

କାରଣ କଳିଙ୍ଗ ଷ୍ଟୁଡିଓର ପୁନଃନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ବ୍ୟୟରେ ଏହାର ପୁନଃନିର୍ମାଣ ପାଇଁ ଶୁଭ ଦେଇଛନ୍ତି । ୨୦୨୨ ଡିସେମ୍ବର ସୁଦ୍ଧା ଷ୍ଟୁଡିଓର ସମସ୍ତ କାମ ଶେଷ ହେବାକୁ ଥିବା ବେଳେ ଏହା ଚଳଚ୍ଚିତ୍ର ଶିଳ୍ପର ଉତ୍ଥାନ ନିମନ୍ତେ ସହାୟକ ହେବ । ତେବେ କାମ କରିବା ପରେ ଏଠାରେ ଅତ୍ୟାଧୁନିକ ଷ୍ଟୁଡିଓର ସବୁ ସୁବିଧା ଉପଲବ୍ଧ ହେବ । ନୂଆ ଷ୍ଟୁଡିଓକୁ ୩ଟି ଜୋନରେ ବିଭକ୍ତ କରାଯିବ । ଯେଉଁଥିରେ ଇନଡୋର, ଆଉଟ ଡୋର ସୁଟିଂ ଫ୍ଲୋର, ଖୋଲା ଅଗଣା, କିଡ୍ ପାର୍କ, ଆଇସ ଜୋନ, ଦୁର୍ଗ ଦୃଶ୍ୟ, ଫୁଡ୍ କୋର୍ଟ ଆଦି ବିଭିନ୍ନ ବ୍ୟବସ୍ଥା କରାଯିବ । ଷ୍ଟୁଡିଓର ନବକଳେବର ପରେ ମନୋରଞ୍ଜନ ଜଗତ ସହ ଜଡିତ ୨ ହଜାର ଲୋକ ସହ ପ୍ରାୟ ୧୦ ହଜାର ଲୋକ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡିଆ ଚଳଚ୍ଚିତ୍ର ଶିଳ୍ପକୁ ଏକ ସ୍ତରକୁ ନେବାକୁ ୧୯୮୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ପଡିଥିଲା । ଭୁବନେଶ୍ୱର ଉପକଣ୍ଠରେ ୨୫ ଏକର ଜମିରେ ଏହି ଷ୍ଟୁଡିଓ ନିର୍ମାଣ ପାଇଁ ଯୋଜନା ହେଲା । ଆଉ ୧୯୮୨ ମସିହାରେ ଓଡିଆ ସିନେମା ଶିଳ୍ପର ସାହା ଭରସା କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓର ଉଦଘାଟନ ଲେ୍‌ହଲା । କେବଳ ଫିଲ୍ମ ସୁଟିଂ ନୁହେଁ ଏଡିଟିଂ, ଡବିଂ କାମ ବି ସେଠାରେ କରାଯାଉଥିଲା । ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିଥିବାରୁ ବାହାର ରାଜ୍ୟର ପ୍ରଯୋଜକମାନେ ବି କଳିଙ୍ଗ ଷ୍ଟୁଡିଓ ଆଗରେ ଲମ୍ବା ଲାଇନ ଲଗାଉଥିଲେ । ଛଡିଶଗଡ, ପଶ୍ଚିମବଙ୍ଗ ଆଦି ସିନେ ନିର୍ଦ୍ଦେଶକମାନେ କଳିଙ୍ଗ ଷ୍ଟୁଡିଓରେ କାମ କରିବାକୁ ପସନ୍ଦ କରୁଥିଲେ । ଥରେ ଓଡିଶା ଆସିଲେ ଇନଡୋର, ଆଉଟ ଡୋର ସୁଟିଂ, ଡବିଂ, ଏଡିଟିଂ କାମ ସାରି ଫେରୁଥିଲେ । ଓଡିଆ ନିର୍ଦ୍ଦେଶକ, ପ୍ରଯୋଜକମାନଙ୍କୁ ଆଉ ମୁମ୍ବାଇ ଯିବାକୁ ପଡିଲାନି । କଳିଙ୍ଗ ଷ୍ଟୁଡିଓରେ ହିଁ ସବୁ ପ୍ରକାର ସୁବିଧା ମିଳିଲା ।

ଲାଇଟ, କ୍ୟାମେରା, ଆକ୍ସନ…


ହେଲେ ଓଡିଶାର ଗୌରବର ଗାଥା ଗାଉଥିବା କଳିଙ୍ଗ ଷ୍ଟୁଡିଓର କୀର୍ତ୍ତି ୧୯୯୯ର ମହାବାତ୍ୟା ଭାଙ୍ଗିଦେଲା । ଭୟଙ୍କର ବାତ୍ୟା ଫଳରେ ଷ୍ଟୁଡିଓ ଖିନଭିନ ହୋଇଗଲା । ବଡ ବଡ ଗଛ ଉପୁଡି ପଡିଲା, ଘରଦ୍ୱାରା, ଯନ୍ତ୍ରାଂଶ ଭାଙ୍ଗିଗଲା । ପ୍ରାୟ ୭୭ ଲକ୍ଷ ଟଙ୍କାର ଅତ୍ୟାଧୁନି ମେସିନ ନଷ୍ଟ ହେବା ସହ ଷ୍ଟୁଡିଓ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଥିଲା । ମାତ୍ର ଦିନ କେଇଟାରେ ଯଦିଓ ଟେକ୍ନିସିଆନ ମାନଙ୍କର ଉଦ୍ୟମରେ ପୁଣି ଅଣ୍ଟା ସିଧା କରିଥିଲା ଷ୍ଟୁଡିଓ କିନ୍ତୁ ଅବହେଳା ପାଇଁ ଧିରେଧିରେ ଜରାଜୀର୍ଣ୍ଣ ପାଲଟିଗଲା କଳିଙ୍ଗ ଷ୍ଟୁଡିଓ । ବଡ ବଡ ହଲ ଭୂତକୋଠୀ ପାଲଟିଗଲା, ପାର୍କ ସମେତ ପୂରା ଷ୍ଟୁଡିଓ ସାରା ଅନାବନା ଗଛ ଉଠି ଜଙ୍ଗଲ ପାଲଟିଗଲା ।

ତେବେ ସେତିକିରେ ସରିନଥିଲା କଳିଙ୍ଗ ଷ୍ଟୁଡିଓର କଷ୍ଟ । ଭୟଙ୍କର ବାତ୍ୟା ଫନିର ପାଟିରେ ଯେତେବେଳେ ଭୁବନେଶ୍ୱର ପଶିଥିଲା । ମହାବାତ୍ୟା ମହାତାଣ୍ଡବ ରଚୁଥିଲା ଠିକ ସେତେବେଳେ କଳିଙ୍ଗ ଷ୍ଟୁଡିଓ ପୁଣି କାନ୍ଦୁଥିଲା । ପ୍ରଥମତଃ ଅବହେଳା ପାଇଁ ତା ଆଖିରୁ ଅଶ୍ରୁ ଝରୁଥିଲା ଆଉ ଫନୀ ପରେ କଳିଙ୍ଗ ଷ୍ଟୁଡିଓର କୋହ କମୁନଥିଲା । କିନ୍ତୁ ଏବେ ଆଉ କାନ୍ଦିବନି କଳିଙ୍ଗ ଷ୍ଟୁଡିଓ । ପୁନଃନିର୍ମାଣ ପରେ ପୁଣି ଷ୍ଟୁଡିଓର ଛାତି ଉପରେ ଶୁଭିବ ଲାଇଟ… କ୍ୟାମେରା… ଆକ୍ସନ…

Comments (0)
Add Comment