ଗିରିବାଳା କଂଗ୍ରେସର କଟକ ମେୟର ପ୍ରାର୍ଥୀ

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କଲା କଂଗ୍ରେସ । ସେହିପରି ୨ ଦିନ ମଧ୍ୟରେ ଭୁବନେଶ୍ବର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ ।
ଗିରିବାଳା ବେହେରା ଏବେ ପିସିସି ମହିଳା କଂଗ୍ରେସର ଉପସଭାପତି ରହିଛନ୍ତି । ଏହାଛଡା ଗିରିବାଳା ନଗର କଂଗ୍ରେସର ମଧ୍ୟ ଜଣେ ଟାଣୁଆ କର୍ମୀ । ଖାସକରି ଗତ ସାଧାରଣ ନିର୍ବାଚନରେ ଗିରିବାଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ସହରରେ ଅନେକ ପ୍ରସଙ୍ଗ ରହିଛି ତାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଗିରିବାଳା।
ଆଜି ଠାରୁ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହା ଆସନ୍ତା ୭ ତାରିଖ ଯାଏ ଚାଲିବ । ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ ।

Comments (0)
Add Comment