ମେ’ ମାସ ପାଇଁ ମହାବିପଦ!

ମାଡି ଆସୁଛି ମହାବିପଦ । ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ । କରୋନାର ଲେଉଟାଣୀ ଯେ ଏତେ ଭୟଙ୍କର ହେବ କାହାକୁ ଜଣାନଥିଲା । ତେବେ ସଂକ୍ରମଣ ସଂଖ୍ୟା ଏବେ ରାଜ୍ୟରେ ୮ ହଜାର ଟପିଥିବା ବେଳେ ସରକାର ଯେଉଁ ସତର୍କବାଣୀ କରିଛନ୍ତି ତାହା ସବୁଠାରୁ ଚିନ୍ତାଜନକ । ମେ ମାସରେ ଶୀର୍ଷକୁ ଯାଇପାରେ ସଂକ୍ରମଣ । ଦୈନିକ ସଂକ୍ରମଣ ୧୩ ହଜାର ଛୁଇଁପାରେ ବୋଲି ଆକଳନ କରାଯାଇଛି ।

ଗତ ୨୪ ଘଂଟାରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ଟେଷ୍ଟ ପଜିଟିଭିଟି ରେଟ୍ ୨୦ ପ୍ରତିଶତ ପାଖାପାଖି ପହଂଚି ସାରିଛି । ଗତ ୨୪ ଘଂଟାରେ ୪୨ ହଜାର ୪୦୧ ନମୂନା ପରୀକ୍ଷା ହୋଇଥିବାବେଳେ ସଂକ୍ରମଣର ହାର ରହିଛି ୧୯ ଦଶମିକ ୭୩ ପ୍ରତିଶତ । ଅର୍ଥାତ ରାଜ୍ୟରେ ଦ୍ରୁତଗତିରେ ସଂକ୍ରମଣ ବଢିଚାଲିଛି । ତେବେ ଅତି ଖରାପ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ’ ୧୫ ତାରିଖ ବେଳକୁ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୩ ହଜାର ଛୁଇଁପାରେ । ମେ’ ୧୫ ତାରିଖ ବେଳକୁ ଦୈନିକ ସଂକ୍ରମଣ ୧୩ ହଜାର ୨୪୯ ହେବା ନେଇ ଆକଳନ କରାଯାଇଛିା ପଶ୍ଚିମ ଓଡିଶା ଜିଲ୍ଲାଗୁଡିକ ସମେତ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଆଗାମୀ ୨ ସପ୍ତାହ ମଧ୍ୟରେ ୨ ଲକ୍ଷ ୪ ହଜାର ନୂଆ ସଂକ୍ରମଣ ମାମଲା ଆସିବା ଆଶଙ୍କା ରହିଛି । ସେହିପରି ଆଗାମୀ ୨ ସପ୍ତାହ ମଧ୍ୟରେ ସକ୍ରିୟ ମାମଲା ୧ ଲକ୍ଷ ୨ ହଜାର ହେବା ଆକଳନ କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁସାରେ , ମେ’ ୧୫ ବେଳକୁ ହସ୍ପିଟାଲରେ ୫ ହଜାର ୮୧୫ ଆକ୍ରାନ୍ତ ଥାଇପାରନ୍ତି । ସେହିପରି ଆଇସିୟୁରେ ଥିବେ ୨ ହଜାର ୪୦ ଓ ଭେଂଟିଲେଟରରେ ଥିବେ ୪୩୮ ରୋଗୀ । ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ୨/୩ ଦିନ ପର୍ୟ୍ୟନ୍ତ ଏହା ଜାରି ରହିବ। ଏହାପରେ ସଂକ୍ରମଣ ଧୀରେ ଧୀରେ କମିବାକୁ ଆରମ୍ଭ କରିବ। ଜୁଲାଇ ବେଳକୁ ରାଜ୍ୟରେ ଫେବ୍ରୁଆରି ଭଳି ସ୍ଥିତି ପହଞ୍ଚି ଯାଇପାରେ ବୋଲି ଆଶଙ୍କା କରାଯାଉଛି ।

Comments (0)
Add Comment