ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୬ ହଜାର ୨୯୧ସଂକ୍ରମିତ। ଗତ ତିନି ମାସ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ସେହିପରି ୧୧୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଡିସେମ୍ବର ପରେ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ସପ୍ତାହ ପୂର୍ବ ତୁଳନାରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟାରେ ୩୩ ପ୍ରତିଶତ ବୃଦ୍ଧି ଘଟିଛି । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ୨୮ ପ୍ରତିଶତ ବଢିଛି ।ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୮୫,୩୩୯ରେ ପହଞ୍ଚିଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୧.୭% ଅଧିକ ଥିବା ଜଣାପଡ଼ିଛି।୧୧୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୭୨୫ରେ ପହଞ୍ଚିଛି। କ୍ରମାଗତ ୬ ଦିନ ଧରି ୧.୪%ରେ ରହିବା ପରେ ମୃତ୍ୟୁହାର ୧.୩୯%କୁ ହ୍ରାସ ପାଇଛି।
ଦେଶରେ ସବୁଠୁ ଅଧିକ ଖରାପ ସ୍ଥିତିରେ ରହିଛି ମହାରାଷ୍ଟ୍ର। ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇଛି।କଟକଣା ନମାନିଲେ ପୁଣି କଡ଼ାକଡ଼ି କଟକଣା ଜାରି କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଚେତାବନୀ ଦେଇଛନ୍ତି ।ପଞ୍ଜାବରେ ରାତ୍ରିକାଳୀନ କଟକଣା ଜାରି ରହିଥିବା ବେଳେ ଇନ୍ଦୋର ଓ ଭୋପାଳରେ କର୍ଫ୍ୟୁ ଲଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।