ଦିନକରେ ୨ ଲକ୍ଷ ସଂକ୍ରମିତ

ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଦେଶରେ ମାତ୍ର ୧୦ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨ଗୁଣ ହୋଇଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଛନ୍ତି। କରୋନା ମହାମାରୀ ବ୍ୟାପିବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ସଂଖ୍ୟା।ସେହିପରି ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିିଛି । ନୂଆ ମାମଲାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୦ ହଜାର ୩୦୦ରେ ପହଞ୍ଚିଛି।ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୪ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ। ଏହାପରେ ଭାରତ, ବ୍ରାଜିଲ ପଛକୁ ପଛ ରହିଛନ୍ତି।

ସେହିପରି କଟକଣା ସତ୍ୱେ ମଧ୍ୟ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଦିନକରେ ୫୮ ହଜାର ୯୫୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୭୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୮ଟାରୁ ପୁରା ମହାରାଷ୍ଟ୍ରରେ ଜାରି ହୋଇଛି ୧୪୪ ଧାରା । ଏହା ଆସନ୍ତା ୧୫ ଦିନ ପାଇଁ ବଳବତ୍ତର ରହିବ ।

Comments (0)
Add Comment